ନୂଆଦିଲ୍ଲୀ: ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗୁଜରାଟର କଂ‌ସେଇ’ ବୋଲି କହିବାପରେ ବିଜେପି ତାଙ୍କ ବିରୋଧରେ ଆଜି ଦେଶବ୍ୟାପୀ ଆନ୍ଦୋଳନ କରିଛି। ବିଭିନ୍ନ ରାଜ୍ୟରେ ଆଜି ବିଜେପି କର୍ମୀମାନେ ଆନ୍ଦୋଳନ କରିଛନ୍ତି ଏବଂ ଭୁଟ୍ଟୋଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଉତ୍ତରପ୍ରଦେଶର ମଥୁରାରେ ଆଜି ବିଜେପି କର୍ମୀମାନେ ଭୁଟ୍ଟୋଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି ଏବଂ କୁଶପୁତ୍ତଳିକା ଦାହ କରିଛନ୍ତି। ଲକ୍ଷ୍ନୌରେ ବିଜେପି କର୍ମୀମାନେ ଅଟଳ ଚୌକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ମହାରାଷ୍ଟ୍ରରେ ମଧ୍ୟ ତିଲକ ଚୌକ ନିକଟରେ ବିଜେପି ପକ୍ଷରୁ ଭୁଟ୍ଟୋଙ୍କ ବିରୋଧରେ ଆନ୍ଦୋଳନ ହୋଇଥିଲା ଏବଂ ଦଳୀୟ ନେତାମାନେ ପାକିସ୍ତାନ ବିରୋଧୀ ସ୍ଲୋଗାନ ଦେଇ ପାକିସ୍ତାନ ପତାକା ଜାଳିଥିଲେ। କର୍ଣ୍ଣାଟକରେ ବିଜେପି ଯୁବ କର୍ମୀମାନେ ଆନ୍ଦୋଳନ କରିଛନ୍ତି ଏବଂ ଭୁଟ୍ଟୋ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ସେହିପରି ତେଲେଙ୍ଗାନା, ଜମ୍ମୁ କାଶ୍ମୀର ଏବଂ ଓଡ଼ିଶାରେ ମଧ୍ୟ ବ‌ିଜେପି କର୍ମୀମାନେ ଆଜି ଆନ୍ଦୋଳନ କରିଛନ୍ତି।