ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଘଟିଥିବା ଶକ୍ତିଶାଳୀ କାର୍ ବିସ୍ଫୋରଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଦିଲ୍ଲୀ ପୁଲିସ୍ ସ୍ପେସାଲ ସେଲ୍, ଏନ୍ଏସ୍ଜି (ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ), ଏନ୍ଆଇଏ (ନ୍ୟାସନାଲ୍ ଇନ୍ଭେଷ୍ଟିଗେସନ ଏଜେନ୍ସି) ଏବଂ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ପଛରେ ବଡ଼ ଆତଙ୍କୀ ଷଡ୍ଯନ୍ତ୍ର ରହିଥିବା ସନ୍ଦେହ କରାଯାଉଛି। ଦେଶବ୍ୟାପୀ ହାଇଆଲର୍ଟ ଜାରି ହୋଇଥିବା ବେଳେ ମହାରାଷ୍ଟ୍ର, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଲକ୍ଷ୍ନୌ ଆଦି ସହରରେ ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି ହୋଇଛି। ଉତ୍ତରପ୍ରଦେଶ, ଗୁଜରାଟ ଓ ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରେ ହାଇଆଲର୍ଟ ପରେ ସୁରକ୍ଷା କଡ଼ାକଡ଼ି ହୋଇଛି। ଦେଶର ବିଭିନ୍ନ ସହରର ସମ୍ଭେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା ବଢ଼ାଯିବା ସହ ସନ୍ଦେହଜନକ ଗତିବଧି ଉପରେ ନଜର ରଖାଯାଉଛି। ଆଜି ବିସ୍ଫୋରଣର ପ୍ରଥମ ପର୍ଯ୍ୟାୟରେ ସିଏନ୍ଜି ସିଲିଣ୍ଡର ବିସ୍ଫୋରଣ କଥା କୁହାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ତଦନ୍ତକାରୀ ସଂସ୍ଥାମାନେ ଏକ ଗମ୍ଭୀର ଦିଗ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି।
ଏହା ପାକିସ୍ତାନ ସହ ଜଡ଼ିତ ଆତଙ୍କବାଦୀ ଷଡ୍ଯନ୍ତ୍ର ହୋଇପାରେ। ଆଜି ହିଁ ହରିୟାଣାର ଫରିଦାବାଦରେ ବିପୁଳ ପରିମାଣର ଆମୋନିୟମ୍ ନାଇଟ୍ରେଟ୍, ଅସ୍ତ୍ରଶସ୍ତ୍ର ଓ ଆଇଇଡି ସାମଗ୍ରୀ ଜବତ ହୋଇଥିଲା ଯାହା ମାଧ୍ୟମରେ ଦିଲ୍ଲୀରେ ବଡ଼ ଆକ୍ରମଣର ଷଡ୍ଯନ୍ତ୍ର ଧରାପଡ଼ିଥିଲା। ସନ୍ଧ୍ୟାରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ବିସ୍ଫୋରଣକୁ ସୀମାପାର ସକ୍ରିୟ ଆତଙ୍କବାଦୀ ନେଟୱର୍କ ସହ ଯୋଡ଼ି ଦେଖାଯାଉଛି। ଗତ ୪ ଦିନ ଭିତରେ ଦେଶରେ ଆତଙ୍କବାଦୀଙ୍କ ଗତିବିଧି ହଠାତ୍ ବଢ଼ିଥିବା ବେଳେ ଏହା ଦେଶର ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରୁଛି। ଦିଲ୍ଲୀ ବିସ୍ଫୋରଣ ପରେ ଆଜି ରାତିରେ ସୀମାନ୍ତ ସ୍ଥାନମାନଙ୍କରେ ବିଶେଷ ନଜର ରଖାଯାଉଛି।
‘୩ ଥର ପଡ଼ିଲି, ଭାବିଲି ଆମେ ସମସ୍ତେ ମରିବାକୁ ଯାଉଛୁ’
ଦିଲ୍ଲୀରେ ଆଜି ହୋଇଥିବା ବିସ୍ଫୋରଣକୁ ଅତି ପାଖରୁ ଦେଖିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଲାଗିଲା ଯେମିତି ସବୁକିଛି ଧ୍ବଂସ ହୋଇଯାଉଛି ଏବଂ ଆମେ ମରିବାକୁ ଯାଉଛୁ। ସେ କହିଛନ୍ତି, ବିସ୍ଫୋରଣ ପରେ ମୁଁ ଦୌଡ଼ିଲି ଏବଂ ଆହୁରି ଅନେକ ଲୋକ ମଧ୍ୟ ପ୍ରାଣ ବିକଳରେ ଦୌଡ଼ୁଥିଲେ। ଦୌଡ଼ିବା ସମୟରେ ମୁଁ ୩ ଥର ପଡ଼ି ଯାଇଥିଲି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଲାଗିଲା ଯେମିତି ମାଟି ଫାଟି ଯାଉଛି। ଜୀବନ ବଞ୍ଚାଇବାପାଇଁ ଦୌଡ଼ୁଥିବା ଲୋକମାନେ ପରସ୍ପର ଉପରେ ପଡ଼ିଥିଲେ। ଆମେ ଭାବିଥିଲୁ, ଯଦି ଦ୍ବିତୀୟ ବିସ୍ଫୋରଣ ହୁଏ ତେବେ ଆମେ କେହି ରହିବୁ ନାହିଁ। ଅନ୍ୟଜଣେ ପ୍ରତ୍ୟକ୍ଷଦର୍ଶ କହିଛନ୍ତି, ମୁଁ ହଠାତ ପ୍ରଚଣ୍ଡ ଶବ୍ଦରେ ଅଂଚଳ ଥରିଉଠିଲା। ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ଏବଂ ଲୋକେ ପ୍ରାଣ ବିକଳରେ ଦୌଡ଼ୁଥିବା ଦୃଶ୍ୟ ଅତ୍ୟନ୍ତ ଆତଙ୍କଜନକ ଥିଲା।
ଏକ କାର୍ ଆସି ରେଡ୍ ଲାଇଟ୍ ପାଖରେ ଅଟକିବା ପରେ ବିସ୍ଫୋରଣ: ଦିଲ୍ଲୀ ପୁଲିସ ମୁଖ୍ୟ
ଦିଲ୍ଲୀ ବିସ୍ଫୋରଣ ସଂକ୍ରାନ୍ତରେ ଟିପ୍ପଣୀ ଦେଇ ଦିଲ୍ଲୀ ପୁଲିସ ମୁଖ୍ୟ ସତୀଶ ଗୋଲଚା କହିଛନ୍ତି, ଏକ ମାରୁତି ସୁଜୁକି ଇକୋ କାର୍ ଆଜି ପୂରା ଧୀରେ ଗତିରେ ଆସି ରେଡ୍ ଲାଇଟ୍ ନିକଟରେ ପହଞ୍ଚିଲା ଏବଂ ଏହାପରେ ବିସ୍ଫୋରଣ ହେଲା। ଗୌରି ଶଙ୍କର ଏବଂ ଜୈନ ମନ୍ଦିର ନିକଟସ୍ଥ ଏହି ଅଞ୍ଚଳରେ ଆଜି ସନ୍ଧ୍ୟା ପ୍ରାୟ ୬.୫୨ ସମୟରେ ଧୀର ଗତିରେ ଆସୁଥିବା ଏକ ଗାଡ଼ି ପହଞ୍ଚିବାପରେ ଏଥିରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପାଇଁ ନିକଟରେ ଥିବା ଗାଡ଼ିଗୁଡ଼ିକ ମଧ୍ୟ ଜଳି ଯାଇଥିଲା ବୋଲି ଦିଲ୍ଳୀ ପୁଲିସ କମିସନର କହିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ଷ୍ଟ୍ରିଟଲାଇଟ୍ ଗୁଡ଼ିକ ଏଣେତେଣେ ଛିଟିକି ପଡ଼ିଥିଲା। କାର୍ଗୁଡ଼ିକ ମଧ୍ୟ ପାଖାପାଖି ୧୫୦ ମିଟର ଦୂର ଯାଏଁ ଛିଟିକି ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/11/untitled-15-2025-11-11-07-38-35.jpg)