ନୂଆଦିଲ୍ଲୀ: ବିହାରରେ ନିକଟରେ ହୋଇଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଆଧାର କରି ଦେଶବ୍ୟାପୀ ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ (ଏସ୍ଆଇଆର୍‌) ଆରମ୍ଭ କରିବାକୁ ନିର୍ବାଚନ କମିସନ (ଇସି) ପ୍ରସ୍ତୁତି ଚଳାଇଛନ୍ତି। ଏହି ଅଭିଯାନ ଚଳିତ ମାସ ଶେଷ କିମ୍ବା ଅକ୍ଟୋବର ପ୍ରାରମ୍ଭରେ ଆରମ୍ଭ ହେବ ଏବଂ  ଜାନୁଆରି ୧, ୨୦୨୬ରୁ ନାଗରିକମାନଙ୍କ ପରିଚୟପତ୍ର ସଂଶୋଧନ ସମ୍ବଳିତ ତାଲିକା ପର୍ଯ୍ୟାୟକ୍ରମେ  ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଦେଶବ୍ୟାପୀ ଏସ୍‌ଆଇଆର୍‌ ଲାଗୁ ପାଇଁ ଆସନ୍ତା ୧୦ ତାରିଖରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ବୈଠକ ଡକାଯାଇଛି। ଏହି ବୈଠକରେ ବର୍ତ୍ତମାନର ଭୋଟର ସଂଖ୍ୟା, ଶେଷ ସଂଶୋଧନର ତଥ୍ୟ, ରୋଲ୍ ଡିଜିଟାଇଜେସନ୍ ଏବଂ ସିଇଓ ୱେବସାଇଟ୍‌ରେ ତଥ୍ୟ ଅପଲୋଡ୍  ସମେତ ପୂରା ଦେଶ ପାଇଁ ଏସ୍‌ଆଇଆର୍ ରୂପରେଖ ଚୂଡ଼ାନ୍ତ ହେବ।

୧୦ରେ ସମସ୍ତ ରାଜ୍ୟର ସିଇଓଙ୍କ ବୈଠକ
ଜାନୁଆରି ୨୦୨୬ରେ ସଂଶୋଧିତ ତାଲିକା

Advertisment

ପ୍ରତି ବୁଥ୍‌ରେ ଭୋଟରଙ୍କ ସଂଖ୍ୟା ୧୨୦୦ ନିର୍ଦ୍ଧାରଣ କରିବା ପାଇଁ ମତଦାନ କେନ୍ଦ୍ରଗୁଡ଼ିକୁ ପ୍ରସ୍ତୁତ କରିବା, ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆର୍‌ଓ), ଅତିରିକ୍ତ ଇଆର୍‌ଓ ଏବଂ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କ ପ୍ରସ୍ତୁତି ଆକଳନ କରିବା ପାଇଁ ନିର୍ବାଚନ କମିସନ ମତାମତ ଲୋଡ଼ିବେ।  ଜୁନ୍ ୨୪, ୨୦୨୫ ନିର୍ଦ୍ଦେଶନାମାରେ ନିର୍ବାଚନ କମିସନ ଭୋଟର ତାଲିକାର ଅଖଣ୍ଡତାକୁ ସୁରକ୍ଷିତ ରଖିବା ପାଇଁ ଏହାର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ ନିମନ୍ତେ ଦେଶବ୍ୟାପୀ ଏସ୍‌ଆଇଆର୍‌ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ନିକଟରେ ହେବାକୁ ଥିବା ରାଜ୍ୟଗୁଡ଼ିକର ନିର୍ବାଚନ ଯୋଗୁଁ କମିସନ ବିହାରରୁ ଏସ୍‌ଆଇଆର ଆରମ୍ଭ କରିଥିଲେ ଏବଂ ଏକ ଜାତୀୟ କାର୍ଯ୍ୟସୂଚୀ ଅଲଗା ଭାବେ କାର୍ଯ୍ୟକାରୀ କରାଯିବ ବୋଲି ସ୍ପଷ୍ଟ କରିଥିଲେ।

ପ୍ରଥମେ ଅନୁମାନ କରାଯାଉଥିଲା ଯେ ବିହାର ପରେ  ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ହିଁ ସଂଶୋଧନ ପ୍ରକ୍ରିୟା ଚାଲିବ। ତେବେ ଏସ୍‌ଆଇଆର୍‌କୁ ଦେଶବ୍ୟାପୀ ଅଭିଯାନରେ ପରିଣତ କରିବା ଲାଗି ନିର୍ବାଚନ କମିସନ ଏବେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପ୍ରକ୍ରିୟାରେ ପ୍ରାରମ୍ଭିକ ସଂଶୋଧନ ପରେ ଡ୍ରାଫ୍‌ଟ ତାଲିକା ପ୍ରକାଶ ପାଇବ ଏବଂ ଏହା ପରେ ଦାବି ଓ ଆପତ୍ତି ପାଇଁ ଏକ ମାସର ସମୟ ଦିଆଯିବ।