ବ୍ରସେଲ୍ସ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଦିନକୁ ଦିନ ଆହୁରି ଭୟଙ୍କର ହେଉଥିବାବେଳେ ୟୁକ୍ରେନ ଏକ ଧ୍ବଂସସ୍ତୁପରେ ପରିଣତ ହେବାରେ ଲାଗିଛି । ତେବେ ୟୁକ୍ରେନକୁ ରକ୍ଷା କରିବାକୁ ଏକ ନୂଆ ବାୟୁପ୍ରତିରକ୍ଷା ବ୍ୟବସ୍ଥା ପ୍ରଦାନ କରିବାକୁ ନାଟୋ ଦେଶମାନେ ଘୋଷଣା କରିଛନ୍ତି ।

Advertisment

ବୁଧବାର ଦିନ ନାଟୋ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଏହି ସାମରିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆମେରିକାର ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ ଏହି ଘୋଷଣା କରିବା ସହ ୟୁକ୍ରେନ ଉପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କ୍ଷେପଣାସ୍ତ୍ର ଆକ୍ରମଣକୁ ନିନ୍ଦା କରିଛନ୍ତି । ୟୁକ୍ରେନର ବେସାମରିକ ଅଂଚଳକୁ ରୁଷ ଟାର୍ଗେଟ କରିବା ନିନ୍ଦନୀୟ ବୋଲି ସେ କହିଛନ୍ତି ।

କିଛି ଦିନ ତଳେ ରୁଷ ଓ କ୍ରିମିଆକୁ ଯୋଡ଼ୁଥିବା ଷ୍ଟ୍ରେଟ୍ ବ୍ରିଜ ବିସ୍ଫୋରଣ ପରେ ରୁଷ ସେନା ଅତ୍ୟନ୍ତ ପ୍ରତିହିଂସାପରାୟଣ ହୋଇଯାଇଥଛି ଓ ୟୁକ୍ରେନ ଉପରେ ପ୍ରବଳ କ୍ଷେପଣାସ୍ତ୍ର ମାଡ଼ କରୁଛି ।  ଏହା ଫଳରେ ୟୁକ୍ରେନ ପ୍ରବଳ କ୍ଷୟକ୍ଷତିର ସମ୍ମୁଖୀନ ହେଉଛି ।

ଅନ୍ୟ ପକ୍ଷରେ ଏହି ବ୍ରିଜ ବିସ୍ଫୋରଣ ଘଟଣାରେ ୮ ଜଣ ସଂଦିଗ୍ଧଙ୍କୁ ଗିରଫ କରିଥିବା ରୁଷ ସରକାର ଦାବି କରିଛନ୍ତି । ଗିରଫ ହୋଇଥିବା ସଂଦିଗ୍ଧମାନଙ୍କ ମଧ୍ୟରେ ୫ ଜଣ ରୁଷୀୟ, ୨ ଆର୍ମେନୀୟ ଓ ଜଣେ ୟୁକ୍ରେନୀୟ ଥିବା ରୁଷର ସମ୍ବାଦ ସରବରାହ ସଂସ୍ଥା ଟାସ୍ କହିଛି । ଏହା ପଛରେ ୟୁକ୍ରେନ ରହିଥିବା ରୁଷ କହୁଛି ।