ମସ୍କୋ : ପ୍ରତିବର୍ଷ ମେ’ ୯ରେ ରୁଷ୍ ‘ବିଜୟ ଦିବସ’ ପାଳନ କରୁଛି। ବିଜୟ ଦିବସ ରୁଷ୍ରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଜାତୀୟ ଛୁଟିଦିନ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ଦିନରେ ନାଜି ଜର୍ମାନୀ ଉପରେ ସୋଭିଏତ ରାଷ୍ଟ୍ରସଂଘ ବିଜୟ ହାସଲ କରିଥିବାରୁ ଏହି ଦିବସ ରୁଷ୍ବାସୀଙ୍କ ଭାବାବେଗ ସହ ଜଡ଼ିତ। ରୁଷ୍ରେ ବିଜୟ ଦିବସ ଏକ ବିଶାଳ ସାମରିକ ପରେଡ୍ ଦ୍ବାରା ପାଳନ କରାଯାଇଥାଏ। ବ୍ୟାପକ ଉତ୍ସବ ମଧ୍ୟ ମନାଯାଏ। ତେବେ ଚଳିତ ବର୍ଷ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ରୁଷ୍ ବିଜୟ ଦିବସରେ କିଛି ବଡ଼ ଯୋଜନା କରିଛି ବୋଲି କୁହାଯାଉଛି। ଏହାକୁ ନେଇ ଆମେରିକା ସମେତ ନାଟୋ ରାଷ୍ଟ୍ରମାନେ ନାନା ଆଶଙ୍କା ଭିତରେ ଅଛନ୍ତି।
ରୁଷ୍ ଚଳିତ ବିଜୟ ଦିବସ ପୂର୍ବରୁ ୟୁକ୍ରେନର ବନ୍ଦର ସହର ମାରିୟୁପୋଲ୍କୁ ହାସଲ କରିନେଇଥିବାରୁ ଡୋନେସ୍କ ଏବଂ ଲୁହାଂସ୍କ ପ୍ରଦେଶକୁ ନେଇ ଏକ ସ୍ବତନ୍ତ୍ର ତଥା ସ୍ବାଧୀନ ଜୋନ୍ ଘୋଷଣା କରିପାରେ ବୋଲି ପଶ୍ଚିମ ରାଷ୍ଟ୍ରମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆବଶ୍ୟକସ୍ଥଳେ ରୁଷ୍ ନିଜ ଦଖଲରେ ଥିବା ୟୁକ୍ରେନ୍ ଅଞ୍ଚଳରେ ବିଜୟ ପରେଡ ମଧ୍ୟ କରିପାରେ। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବିଜୟ ଦିବସରେ ୟୁକ୍ରେନ୍ ବିରୋଧରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଘୋଷଣା ମଧ୍ୟ କରିପାରନ୍ତି। ଏହା ହେଲେ ରୁଷ୍ର ଆକ୍ରମଣ କେବଳ ୟୁରୋପରେ ସୀମିତ ରହିବ ନାହିଁ ଏବଂ ନାଟୋରେ ସାମିଲ ହେବାକୁ ଚାହୁଥିବା ଅନ୍ୟ ୟୁରୋପୀୟ ରାଷ୍ଟ୍ର ଉପରେ ମଧ୍ୟ ପୁଟିନ୍ ଆକ୍ରମଣ ନିର୍ଦ୍ଦେଶ ଦେଇପାରନ୍ତି।
ରୁଷ୍ ଏଯାବତ କହିଆସିଛି ଯେ ଏହା ୟୁକ୍ରେନ୍ରେ ସ୍ବତନ୍ତ୍ର ସାମରିକ ଅପରେସନ୍ ଚଳାଇଛି। ୟୁକ୍ରେନ୍ର ସାମରିକ ଶକ୍ତିକୁ ସଂପୂର୍ଣ୍ଣ ପଙ୍ଗୁ କରିଦେବା ଲକ୍ଷ୍ୟରେ ଏହି ଅଭିଯାନ ଚାଲିଥିବା ରୁଷ୍ ବାରମ୍ବାର କହିଆସୁଛନ୍ତି। ଆଜି କ୍ରେମ୍ଲିନ୍ ମୁଖପାତ୍ର କହିଛନ୍ତି, ମାରିୟୁପୋଲ୍ରେ ବିଜୟ ଦିବସ ଉତ୍ସବ ପାଇଁ କୌଣସି ଯୋଜନା ନାହିଁ। ନାଟୋ ଅସ୍ତ୍ରକୁ ଟାର୍ଗେଟ୍ କରିବା ପାଇଁ ପୂରା ୟୁକ୍ରେନ୍ରେ ଆକ୍ରମଣ ଜାରି ରହିବ ବୋଲି ସେ କହିଛନ୍ତି। ପୁଟିନ ତାଙ୍କ ମେ’ ୯ ଭାଷଣ ଦ୍ବାରା ଯୁଦ୍ଧକୁ ଅଧିକ ତୀବ୍ର କରିବା ପାଇଁ ଯୋଜନା କରୁଛନ୍ତି ଏବଂ ଏଥିପାଇଁ ନିଜ ଦେଶର ନାଗରିକଙ୍କ ବିପୁଳ ସମର୍ଥନ ଚାହୁଛନ୍ତି ବୋଲି ବ୍ରିଟେନ୍ କହିଛି।