ଚୀନ ରୁଷକୁ ସାମରିକ ଓ ଅର୍ଥନୈତିକ ସହାୟତା କରିବା ଉଚିତ ନୁହେଁ : ନାଟୋ

ଲଣ୍ଡନ : ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷକୁ କୌଣସି ପ୍ରକାର ସାମରିକ ଓ ଆର୍ଥିକ ସହାୟତା ନ କରିବାକୁ ଚୀନକୁ ଅନୁରୋଧ କରିଛନ୍ତି ନାଟୋ ମହାସଚିବ ଜେନ୍ସ ଷ୍ଟୋଟେନବର୍ଗ । ସେ କହିଛନ୍ତି ଯେ ରୁଷର ଆକ୍ରାମକତାକୁ ବିରୋଧ କରିବାକୁ ସମଗ୍ର ବିଶ୍ବ ସହ ଏକମତ ହେଉ ଚୀନ ।

ରୁଷର ରାସାୟନିକ ଓ ଜୈବିକ ଅସ୍ତ୍ରକୁ ନେଇ ସେ ଚିନ୍ତା ପ୍ରକଟ କରିବା ସହ କହିଛନ୍ତି ଯେ ନାଟୋ ରାସାୟନିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି କହି ରୁଷ ନିଜେ ଏସବୁ ଅସ୍ତ୍ର ପ୍ରୟୋଗ କରିପାରେ । ଏପରି ହେଲେ ଯୁଦ୍ଧ ଆଉ ୟୁକ୍ରେନ ମଧ୍ୟରେ ସୀମିତ ହୋଇ ରହିବ ନାହିଁ । ଏହା ନାଟୋ ଦେଶକୁ ବ୍ୟାପିଯିବ ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଆଜି ୧ ମାସ ପୂରଣ ହୋଇଛି । ଫେବ୍ରୁଆରି ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ପ୍ରାୟ ଏକ ମାସ ବିତିଯାଇଥିଲେ ବି ରୁଷ ନିଜର ଲକ୍ଷ୍ୟ ହାସଲ କରିପାରି ନାହିଁ । ଏଥିପାଇଁ ଦିନକୁ ଦିନ ରୁଷର ଆକ୍ରମଣ ଅଧିକ ଭୀଷଣ ହେଉଛି । ସେପଟେ ରୁଷର ମୁକାବିଲା ପାଇଁ ଆମେରିକା ଓ ନାଟୋ ପକ୍ଷରୁ ବିପୁଳ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି । ୟୁକ୍ରେନକୁ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ଯୋଗାଇବାକୁ ଆମେରିକା ଓ ଏହାର ନାଟୋ ସହଯୋଗୀ ଦେଶମାନେ ବିଚାର କରୁଛନ୍ତି ।

ସମ୍ବନ୍ଧିତ ଖବର