ନୂଆଦିଲ୍ଲୀ : ଭାରତୀୟ ରେଳବାଇର ୱାର୍କସପ୍, ପ୍ରଡକ୍ସନ ୟୁନିଟ ଏବଂ ଗୋଦାମ ଗୁଡ଼ିକରେ ଏବେ ଡିଜୋଲଭଡ ଏସିଟିଲିନ୍, ଏଲପିଜି, ବିଏମସିଜି, ଫର୍ଣ୍ଣେସ ଅଏଲ୍, ହାଇସ୍ପିଡ୍ ଡିଜେଲ ପରିବର୍ତ୍ତେ ପରିବେଶ ଅନୁକୂଳ ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରାଯିବ । ଏଥିପାଇଁ ନୂଆଦିଲ୍ଲୀସ୍ଥିତ ରେଲ ଭବନରେ ଆଜି ଭାରତୀୟ ରେଳବାଇ ଓ ଗେଲ୍ ଇଣ୍ଡିଆ ଲିମିଟେଡ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ପ୍ରାକୃତିକ ଗ୍ୟାସ୍ ବ୍ୟବହାର ଲାଗି ମୌଳିକ ଭତ୍ତିଭୂମି ସୁବିଧା ଗେଲ୍ ଯୋଗାଇ ଦେବ ।
ଚୁକ୍ତିନାମାରେ ଭାରତୀୟ ରେଳବାଇ ପକ୍ଷରୁ ଇଣ୍ଡିଆନ ରେଲୱେ ଅର୍ଗାନାଇଜେସନ ଫର ଅଲଟରନେଟ ଫୁଏଲ୍ସର ଚେତରାମ ଏବଂ ଗେଲ୍ ଇଣ୍ଡିଆ ପକ୍ଷରୁ ନିର୍ଦ୍ଦେଶକ (ମାର୍କେଟିଙ୍ଗ) ଗଜେନ୍ଦ୍ର ସିଂ ସ୍ୱାକ୍ଷର କରିଥିଲେ ।
ଭାରତୀୟ ରେଳବାଇକୁ ଉଭୟ ଔଦ୍ୟୋଗିକ ଓ ଘରୋଇ ବ୍ୟବହାର ପାଇଁ ସିଏନଜି/ଏଲ୍ଏନଜି/ପିଏନଜି ଯୋଗାଣ ସହ ଏଥି ସକାଶେ ମୌଳିକ ଭିତ୍ତିଭୂମି ଗେଲ୍ ପ୍ରସ୍ତୁତ କରିବ । ରେଲୱେରେ ଥିବା ମୋଟ ୫୪ଟି ୱାର୍କସପ୍ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୩ଟିରେ ଔଦ୍ୟୋଗିକ ଗ୍ୟାସ୍ ପରିବର୍ତ୍ତେ ପ୍ରାକୃତିକ ଗ୍ୟାସ୍ ବ୍ୟବହାର ପାଇଁ ଚିହ୍ନଟ କରାଯାଇଛି । ଘରୋଇ ବ୍ୟବହାର ପାଇଁ ଭୁବନେଶ୍ୱରର ରେଲୱେ କଲୋନିରେ ପ୍ରାୟ ୧୧୦୦ ଘରକୁ ଡି-ପିଏନଜି ଯୋଗାଣ ହେଉଛି ।
ରେଳବାଇରେ ବାର୍ଷିକ ବ୍ୟବହାର ହେଉଥିବା ପ୍ରାୟ ୮୪୪୦୨୭ କ୍ୟୁବିକ୍ ମିଟର ଏସିଟିଲିନ୍, ୨୩୫୪୪୨୫ କି.ଗ୍ରା. ଏଲପିଜି, ୧୪୦୯୯୧ କି.ଗ୍ରା. ବିଏମସିଜି, ୫୫୦୦ କିଲୋଲିଟର ଏଚଏସଡି/ଫର୍ଣ୍ଣେସ୍ ଅଏଲ୍ (ମୋଟ ୭୦ କୋଟି ଟଙ୍କା) ବଦଳରେ ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରାଯିବାର ପ୍ରସ୍ତାବ ରହିଛି । ପ୍ରାକୃତିକ ଗ୍ୟାସ୍ ବ୍ୟବହାର ଦ୍ୱାରା ରେଳବାଇର ବାର୍ଷିକ ୨୦ କୋଟି ଟଙ୍କା ସଂଚୟ ହୋଇପାରିବ ।