ଶ୍ରୀନଗର: : ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାର ସୀମାନ୍ତ ଜୋଧଘାଟି ଗ୍ରାମରେ ଗତରାତିରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ  ଭୀଷଣ କ୍ଷୟକ୍ଷତି ଘଟିଛି। ଏହି ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଜୋଧଘାଟିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜାଙ୍ଗଲୋଟେରେ ଭୂସ୍ଖଳନରେ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ କିସ୍ତୱାଡ଼ ଜିଲ୍ଲାର ଚିସୋଟି ଗ୍ରାମରେ ମଧ୍ୟ ଗତ ଗୁରୁବାର ଘଟିଥିବା ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁଁ  ଆସିଥିବା ବିପର୍ଯ୍ୟୟର ମୁକାବିଲା ପାଇଁ ଅଭିଯାନ ତ୍ବରାନ୍ବିତ ହୋଇଛି।  ଏହି ଦୁଇଟି ଘଟଣା ରାଜ୍ୟରେ ପ୍ରବଳ ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟର ଭୟାବହତାକୁ ପ୍ରତିଫଳିତ କରୁଛି। ଜମ୍ମୁ ଡିଭିଜନାଲ କମିସନର ରମେଶ କୁମାରଙ୍କ କହିବା ଅନୁଯାୟୀ, ‘କାଠୁଆରେ ଗତରାତି ଜୋଧଘାଟିରେ ବାଦଲଫଟା ବର୍ଷା   ଫଳରେ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ହୋଇଛି। ଏହା ଯୋଗୁଁ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସମସ୍ତଙ୍କ ଶବ ଉଦ୍ଧାର କରାଯାଇଛି। ଏହି ବିପର୍ଯ୍ୟୟରେ ଅନେକ ସଡ଼କ, ଘର ଏବଂ ସରକାରୀ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। କେତେକ ଗାଡ଼ି ବନ୍ୟାଜନିତ ଆବର୍ଜନା ତଳେ  ପୋତି ହୋଇଯାଇଛି। ସଡ଼କ ସଂଯୋଗ ବିଚ୍ଛିନ୍ନ ହେବା ଯୋଗୁଁ ଫସି ରହିଥିବା ଲୋକଙ୍କୁ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରାଯାଉଛି।
କଠୁଆରେ ଉଦ୍ଧାର କାର୍ଯ୍ୟରେ ରାଜ୍ୟ ପୁଲିସ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସ୍‌ଡିଆରଏଫ), ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍‌ଡିଆର୍‌ଏଫ) ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ସାମିଲ ହୋଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ଏକ୍ସ’ରେ ପୋଷ୍ଟ କରି ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଆଲୋଚନା କରି ସମସ୍ତ ସହାୟତା ପ୍ରଦାନ କରିବାକୁ  ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ  ଇତିମଧ୍ୟରେ ଚିସୋଟି ଗ୍ରାମ ପରିଦର୍ଶନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଘୋଷଣା କରିଛନ୍ତି। ସେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା, ଆଂଶିକ ଆହତଙ୍କୁ ୫୦,୦୦୦ ଟଙ୍କା ଏବଂ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା   ପରିବାରଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାଠୁଆରେ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଯୋଗୁଁ ଜନସାଧାରଣଙ୍କୁ ନଦୀ ଓ ପାହାଡ଼ିଆ ଅଞ୍ଚଳରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।