ଆଇଏନଏସ୍‌ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ, ନୌସେନା ଅଧିକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଭାରତର ସବୁଠାରୁ ବଡ଼ ବିମାନ ବାହକ ଯୁଦ୍ଧପୋତ ଆଇଏନଏସ୍‌ ବିକ୍ରମାଦିତ୍ୟରେ ଆଜି ଅଗ୍ନିକାଣ୍ଡ ଘଟିଛି। ଅଗ୍ନି ନିର୍ବାପନ ପାଇଁ ପ୍ରୟାସ କରୁଥିବା ଜଣେ ନୌସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଲେପ୍ଟନାଣ୍ଟ୍‌ କମାଣ୍ଡର ଡିଏସ୍‌ ଚୌହାନ ଏକ କ୍ୟାବିନ୍‌ରେ ନିଆଁ ଲିଭାଇବାକୁ ପ୍ରୟାସ କଲା ବେଳେ ଶ୍ବାସରୁଦ୍ଧ ହୋଇ ଅଚେତ ହୋଇଯାଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ।

ସୂଚନାନୁଯାୟୀ ଆଜି ସକା‌ଳେ ଆଇଏନ୍ଏସ୍‌ ବିକ୍ରମାଦିତ୍ୟ କର୍ଣ୍ଣାଟକର କରୱାର ବନ୍ଦରକୁ ପ୍ରବେଶ କରୁଥିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା। ତେବେ ଲେପ୍ଟନାଣ୍ଟ କମାଣ୍ଡର ଚୌହାନ ଏବଂ ତାଙ୍କ ଟିମ୍‌ ଯୁଦ୍ଧକାଳନୀ ଭିତ୍ତିରେ ନିଆଁ ଲିଭା କାର୍ଯ୍ୟରେ ସାମିଲ ଥିଲେ। ପ୍ରବଳ ଧୁଆଁ ହେତୁ କମାଣ୍ଡର ଚୌହାନ ବେହୋସ୍‌ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ନୌସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ତେବେ ତାଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରି ନଥିଲା। ୩ ଘଣ୍ଟାର କଠୋର ପ୍ରୟାସ ପରେ ବିମାନ ବାହକ ଯୁଦ୍ଧପୋତର କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରି ନେଇଥିଲେ। ଅଗ୍ନିକାଣ୍ଡର କାରଣ କ’ଣ ଜଣା ପଡ଼ିନଥିବା ବେଳେ ନୌସେନା ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ପାଇଁ ବୋର୍ଡ ଅଫ୍‌ ଏନ୍‌କ୍ବାରି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆଇଏନଏସ୍‌ ବିକ୍ରମାଦିତ୍ୟରେ ଏହା ପ୍ରଥମ ଅଗ୍ନିକାଣ୍ଡ ଘଟଣା। ୪୫,୪୦୦ ଟନ୍‌ର ଆଇଏନଏସ୍‌ ବିକ୍ରମାଦିତ୍ୟ ଭାରତର ସବୁଠୁ ବଡ଼ ବିମାନ ବାହକ ‌ଯୁଦ୍ଧପୋତ। ୨.୩ ବିଲିଅନ ଆମେରିକୀୟ ଡଲାରରେ ଏହାକୁ ରୁଷ୍‌ଠାରୁ କିଣା ଯାଇଥିଲା। ଉକ୍ତ ଯୁଦ୍ଧପୋତର ୨୪ ମିଗ୍‌ ୨୯ କେ/କେୟୁବି ଯୁଦ୍ଧ ବିମାନ, କାମୋଭ ୩୧, କାମୋଭ ୨୮- ସି କିଙ୍ଗ୍‌ , ଚେତକ୍‌ ଏବଂ ଏଏଲଏଚ୍‌ ସମେତ ସମୁଦାୟ ୩୪ଟି ଯୁଦ୍ଧ ବିମାନ ବହନ କରିବାର କ୍ଷମତା ରହିଛି।

ସମ୍ବନ୍ଧିତ ଖବର