ନବୀନ ବଜାଇଲେ ଘଣ୍ଟ, ମୋଦୀ ଜନତାଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଅଭିବାଦନ ଜଣାଇଲା ପୂରା ଦେଶ । ଘଣ୍ଟ-ଘଣ୍ଟି, ତାଳି ଓ ଥାଳି ବଜାଇ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ପୂରା ଦେଶବାସୀ । ଆଉ ଏହି ଧନ୍ୟବାଦର ମହାପର୍ବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଦେଶ ସମେତ ରାଜ୍ୟର ଜନତା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶର ପାଳନ କରି ତାଳି-ଥାଳି, ଘଣ୍ଟ-ଘଣ୍ଟା, ଶଙ୍ଖ ଧ୍ୱନୀରେ ସହର-ବଜାରଠୁ ଆରମ୍ଭ କରି ଗାଁ-ଗଣ୍ଡା ପର୍ଯ୍ୟନ୍ତ ସର୍ବତ୍ର କମ୍ପାଇ ଦେଇଛନ୍ତି।


ପ୍ରଧାନମନ୍ତ୍ରୀ ଏଥିପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଣ୍ଟ ଓ ତାଳି ବଜାଇ ସେବା ପ୍ରଦାନ କରୁଥିବା ଡାକ୍ତର, ପୁଲିସ କର୍ମୀ, ମିଡିଆ କର୍ମୀ, ସଫେଇ କର୍ମୀଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି |


ଏଠାରେ ସୂଚନା ଥାଉ କି କରୋନା ମୁକାବିଲା ପାଇଁ ପୂରା ଦେଶରେ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏପରିକି ଏହି ସମୟରେ ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ଆହ୍ୱାନ ଦେଇଥିଲେ ମୋଦୀ । ତେବେ ଏହି ସ୍ଥିତିରେ ମଧ୍ୟ ସେବା ଯୋଗାଉଥିବା ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଓ ଗଣମାଧ୍ୟମ କର୍ମଚାରୀ ସେବା ଯୋଗାଉଥିବାରୁ ଏମାନଙ୍କୁ ସନ୍ଧ୍ୟା ୫ଟାରେ ୫ ମିନିଟ୍ ଘଣ୍ଟ, ତାଳି ଓ ଥାଳି ବଜାଇ ଧନ୍ୟବାଦ ଜଣାଇବାକୁ କହିଥିଲେ । ଆଉ ଆଜି ସନ୍ଧ୍ୟା ୫ଟା ହେବା କ୍ଷଣି ନିଜ ଘରେ ଘଣ୍ଟ, ଥାଳି ଓ ତାଳି ବଜାଇ ଧନ୍ୟବାଦ ଜଣାଇଛନ୍ତି ଦେଶବାସୀ । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତେ ଜନତା କର୍ଫ୍ୟୁକୁ ସମର୍ଥନ କରିବା ସହ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଘଣ୍ଟ, ଥାଳି ଓ ତାଳି ବଜାଇ ଧନ୍ୟବାଦ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର