ଡାକ୍ତରୀ ଗବେଷଣା ପାଇଁ ନବୀନ ଶେଖରାପ୍ପାଙ୍କ ମୃତଦେହ ଦାନ କଲେ ପରିବାର

ବେଙ୍ଗାଲୁରୁ : ମୃତ୍ୟୁର ୨୦ ଦିନ ପରେ ବେଙ୍ଗାଲୁରୁରେ ପହଞ୍ଚିଛି ଡାକ୍ତରୀ ଛାତ୍ର ନବୀନ ଶେଖରାପ୍ପାଙ୍କ ମୃତଦେହ । ସୋମବାର ଭୋର ୩ଟାରେ ଏହା ବେଙ୍ଗାଲୁରୁରେ ପହଞ୍ଚିବା ପରେ ତାହାକୁ ନବୀନଙ୍କ ସହର ହାଭେରିକୁ ପଠାଯାଇଥିଲା ।  ସେଠାରେ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ନବୀନଙ୍କ ବାପା ଶେଖରାପ୍ପା ଜ୍ଞାନଗୌଧର କହିଛନ୍ତି ଯେ ତାଙ୍କ ପୁଅର ମୃତ ଦେହକୁ ସେ ଏକ ମେଡିକାଲ କଲେଜକୁ ଦାନ କରିବେ । ତାହାକୁ ମେଡିକାଲ ଗବେଷଣା ପାଇଁ ବ୍ୟବହାର କରାଯିବ ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧ ତାରିଖରେ ୟୁକ୍ରେନର ଖାରକିବରେ ରହୁଥିବା ନବୀନ ଶେଖରାପ୍ପା ରୁଷ ବୋମାମାଡ଼ରେ ମୃତ୍ୟୁବରଣ କରିଥିଲେ । ଆକ୍ରମଣରୁ ରକ୍ଷା ପାଇବାକୁ ବଙ୍କର ଭିତରେ ରହୁଥିବା ନବୀନ ଖାଦ୍ୟ ପାଇଁ ଏକ ଦୋକାନକୁ ଯାଇଥିବାବେଳେ ବୋମାମାଡ ହୋଇଥିଲା । ଏଥିରେ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଦୋକାନଟି ନବୀନ ରହୁଥିବା ବଙ୍କରଠାରୁ ମାତ୍ର ୫୦ ମିଟର ଦୂରରେ ଥିଲା ।

ନବୀନଙ୍କ ମୃତ୍ୟୁରେ ସାରା ଦେଶରେ ଦୁଃଖର ଛାୟା ଖେଳିଯାଇଥିଲା । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳନେତା ସମସ୍ତେ ଦୁଃଖପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ନିଜେ ମୃତ ଛାତ୍ରର ପିତାଙ୍କ ସହ କଥା ହୋଇ ସାନ୍ତ୍ବନା ଦେଇଥିଲେ ।

ସମ୍ବନ୍ଧିତ ଖବର