ଭୁବନେଶ୍ୱର/ନୂଆଦିଲ୍ଲୀ: ଅହିଂସା ହେଉଛି ସମ୍ପୂର୍ଣ୍ଣ ଭାବେ ଭାରତୀୟ ଚିନ୍ତାଧାରା। ଏହାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସାମିଲ କରାଯାଇପାରିଲେ, ତାହା ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀରେ ତାଙ୍କ ପ୍ରତି ଭାରତର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଆଜି ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉପଲକ୍ଷେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତ ବ୍ୟକ୍ତ କରିଛନ୍ତି। କେବଳ ସେତିକି ନୁହେଁ, ଯେଉଁମାନେ ଜାତି, ଧର୍ମ ଓ ଶ୍ରେଣୀ ଆଦି ବିଭିନ୍ନ ଗୋଷ୍ଠୀ ନାମରେ ସମାଜରେ ବିଭେଦ ସୃଷ୍ଟି କରୁଛନ୍ତି, ବିକାଶ ପାଇଁ ସେମାନଙ୍କୁ ପରାସ୍ତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଭାରତର ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛନ୍ତି। ବାସ୍ତବରେ ଏଭଳି ମନ୍ତବ୍ୟ ଦେବା ପଛରେ ମୁଖ୍ୟମନ୍ତ୍ରୀ କାହା ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିବାକୁ ଚାହୁଁଛନ୍ତି, ତାହା ଏବେ ଆଲୋଚନାର ବିଷୟ ପାଲଟିଛି।
ଉଲ୍ଲେଖଯୋଗ୍ୟ, ଗତକାଲି ଠାରୁ ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ବୈଠକରେ ଯୋଗଦେଇ ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ସମାରୋହ ଅବସରରେ ନିଜର ଆଭିମୁଖ୍ୟ ପ୍ରକଟ କରିଥିଲେ। ନିଜର ସଂକ୍ଷିପ୍ତ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ, ମହାତ୍ମାଗାନ୍ଧୀଙ୍କ ଅହିଂସା ସଂପର୍କିତ ସିଦ୍ଧାନ୍ତ ମଧ୍ୟରେ ‘ଦାରିଦ୍ର୍ୟ ଓ ସାମାଜିକ ଅନ୍ୟାୟ ହେଉଛି ସବୁଠାରୁ ବଡ଼ ହିଂସା’ ଏଭଳି ଦୁଇଟି କଥା ରହିଛି। ଗାନ୍ଧୀଜୀ କହିଥିଲେ, ଯେଉଁ ପର୍ଯ୍ୟନ୍ତ ଦେଶରେ ଦାରିଦ୍ର୍ୟ ରହିଛି, ସେ ପର୍ଯ୍ୟନ୍ତ ସ୍ୱାଧୀନତା ହେଉଛି କେବଳ ଏକ ଶୁଷ୍କ କାଷ୍ଠ ସଦୃଶ। ଏ ଦୃଷ୍ଟିକୋଣରୁ ଯେକୌଣସି ସରକାର ପାଇଁ ଦାରିଦ୍ର୍ୟ ଦୂରୀକରଣ ହେଉଛି ସବୁଠାରୁ ବଡ଼ ଆହ୍ଵାନ। ହେଲେ ଅହିଂସା ବିନା ଏହାକୁ ହାସଲ କରାଯାଇପାରିବ ନାହିଁ। ମୁଖ୍ୟମନ୍ତ୍ରୀ କହିଥିଲେ, ସମ୍ବିଧାନର ମୁଖବନ୍ଧରେ ଥିବା ସିଦ୍ଧାନ୍ତଗୁଡିକ ସମ୍ପୂର୍ଣ୍ଣ ଭାବେ ପାଶ୍ଚାତ୍ୟ ଗଣତାନ୍ତ୍ରିକ ଚିନ୍ତାଧାରାର। ଅହିଂସା ହେଉଛି ଭାରତୀୟ ପରମ୍ପରା ଓ ଦର୍ଶନର ଏକ ନିଚ୍ଛକ ପ୍ରତିଫଳନ। ବିକାଶ ପାଇଁ ଶାନ୍ତିର ଆବଶ୍ୟକତା ରହିଛି। ଯେଉଁମାନେ ଜାତି, ଧର୍ମ ଓ ଶ୍ରେଣୀ ଆଦି ବିଭିନ୍ନ ଗୋଷ୍ଠୀ ନାମରେ ସମାଜରେ ବିଭେଦ ସୃଷ୍ଟି କରୁଛନ୍ତି, ବିକାଶ ପାଇଁ ସେମାନଙ୍କୁ ପରାସ୍ତ କରିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଦୃଷ୍ଟିକୋଣରୁ ମୁଁ ଭାବୁଛି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଚିନ୍ତାଧାରା ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିପାରିଲେ, ତାହା ଗାନ୍ଧୀଜୀଙ୍କ ପ୍ରତି ଦେଶର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ନବୀନ ଆହୁରି କହିଥିଲେ, ଏହାଦ୍ୱାରା କେବଳ ଭାରତର ନୁହେଁ, ସାରା ପୃଥିବୀର ଭବିଷ୍ୟତର ବଂଶଧରମାନେ ଏହି ନୀତିର ବାସ୍ତବ ସତ୍ୟକୁ ମନେ ରଖିପାରିବେ ଓ ହୃଦୟଙ୍ଗମ କରିପାରିବେ।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପ୍ରସ୍ତୁତି ବୈଠକରେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କମିଟିରେ ସାମିଲ ଥିବା ସଦସ୍ୟମାନେ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀକୁ ଆସନ୍ତାବର୍ଷ ଅକ୍ଟୋବର ୨ରୁ ୨୦୨୦ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ କରାଯିବା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ସଦସ୍ୟମାନଙ୍କ ସହ ବିଚାରବିମର୍ଶ କରାଯାଇଥିଲା। କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରାଯାଇଥିବା େଓ୍ଵବ୍ସାଇଟ୍କୁ ମଧ୍ୟ ବୈଠକରେ ପ୍ରଦର୍ଶିତ କରାଯାଇଥିଲା। ଜୟନ୍ତୀ ପାଳନ ପାଇଁ ୧୫୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଏଥିରେ ଗାନ୍ଧୀଙ୍କ ବାର୍ତ୍ତାକୁ ପ୍ରଚାର ଓ ପ୍ରସାର କରାଯିବା ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି।