ଇଣ୍ଡିଆ ଟୁଡେ-ସି-ଭୋଟର ଜନମତ ସର୍ଭେ: ନବୀନ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦେଶରେ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଇଣ୍ଡିଆ ଟୁଡେ-ସି-ଭୋଟର ମୁଡ୍‌ ଅଫ୍ ନେସନ(ଏମ୍‌ଓଟିଏନ୍‌) ଜନମତରେ ନବୀନ ଶୀର୍ଷ ସ୍ଥାନରେ ରହିଛନ୍ତି। ରାଜ୍ୟର ୭୩.୨ ପ୍ରତିଶତ ସାଧାରଣ ଜନତା ନବୀନଙ୍କୁ ସମର୍ଥନ ଜଣାଇଛନ୍ତି। ନବୀନଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ(୬୯.୨%) ଓ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା(୬୮.୨%) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୨୦୨୧ ଓ ୨୦୨୨ରେ ହୋଇଥିବା ଜନମତରେ ମଧ୍ୟ ନବୀନ ଶୀର୍ଷ ସ୍ଥାନରେ ରହିଥିଲେ। ୨୦୨୧ରେ ରାଜ୍ୟର ୫୧ ପ୍ରତିଶତ ଜନତା ତାଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ମାନ୍ୟତା ଦେଇଥିବା ବେଳେ ୨୦୨୩ରେ ଏହା ବୃଦ୍ଧି ପାଇ ୭୩.୨ ପ୍ରତିଶତରେ ପହଞ୍ଚିଛି। ଦୀର୍ଘ ବର୍ଷ ଶାସନରେ ରହି ମଧ୍ୟ ନବୀନଙ୍କ ଛବି ଓଡ଼ିଶାବାସୀଙ୍କ ନିକଟରେ ମଳିନ ପଡ଼ିନାହିଁ।

ଶ୍ରେଷ୍ଠ ୧୦ଟି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ପ୍ରମୁଖ ସ୍ଥାନ ପାଇଛନ୍ତି। ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନକୁ ନେଇ ଜନମତ ସଂଗ୍ରହ କରାଯାଇଥିଲା। ଏଥିରେ ଓଡ଼ିଶାର ୨୪୩୭ଜଣ ଲୋକଙ୍କ ମତାମତ ନିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର