ନୂଆଦିଲ୍ଲୀ/ ଭୁବନେଶ୍ବର : ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ଦିନ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ପ୍ରାୟ ୨୦ ମିନିଟ୍‌ ଧରି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର କାର୍ଯ୍ୟ ତ୍ବରାନ୍ବିତ ସହ ଅନ୍ୟ ତିନିଟି ଦାବି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଦୁଇ ଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭୁବନେଶ୍ବରରେ ନବୀନଙ୍କୁ ଭେଟିଥିବାରୁ ଆଜି ରାଜନୈତିକ ଦୃଷ୍ଟିରୁ ମୋଦୀଙ୍କ ସହ ତାଙ୍କ ସାକ୍ଷାତକୁ ଗୁରୁତ୍ବ ଦିଆଯାଉଥିଲା। କିନ୍ତୁ ରାଜନୀତି ଚର୍ଚ୍ଚାକୁ ନବୀନ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। ନୀତୀଶ କୁମାରଙ୍କ ସହ ରାଜନୈତିକ ଆଲୋଚନାକୁ ଯେମିତି ଅସ୍ବୀକାର କରିଥିଲେ, ଆଜି ପ୍ରଧାନମନ୍ତ୍ରୀଙ୍କ ସହ ବି ରାଜନୈତିକ ଆଲୋଚନାକୁ ସେମିତି ମନା କରିଦେଇଛନ୍ତି। କେବଳ ସେତିକି ନୁହେଁ, ସମଦୂରତା କଥା ଦୋହରାଇ ବିରୋଧୀ ଶିବିରରେ ନୈରାଶ୍ୟ ଖେଳାଇଛନ୍ତି। ତୃତୀୟ ସାମ୍ମୁଖ୍ୟ ସମ୍ପର୍କରେ ସାମ୍ବାଦିକମାନେ ପଚାରିବାରୁ ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ସେମିତି କିଛି ନାହିଁ। ତୃତୀୟ ସାମ୍ମୁଖ୍ୟରେ ଆମେ ନାହୁଁ। ଆମେ ସମଦୂରତା ବଜାୟ ରଖିଛୁ।

ରାଜନୀତି ଆଲୋଚନାକୁ ନା, ସମଦୂରତା କଥା ଦୋହରାଇଲେ
ପୁରୀରେ ଶ୍ରୀଜଗନ୍ନାଥ ବିମାନବନ୍ଦର ପ୍ରତିଷ୍ଠା ତ୍ବରାନ୍ବିତ କରାଯାଉ
ଇଣ୍ଟର୍‌ନେଟ୍‌ ସଂଯୋଗ, ସବୁ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଦାବି
୮ ଅଧପନ୍ତରିଆ ଜାତୀୟ ରାଜପଥ କାମ ଶେଷ କରିବା ଲାଗି କହିଲେ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ସମ୍ପର୍କରେ ନବୀନ କହିଲେ, ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପ୍ରସଙ୍ଗରେ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରସ୍ତାବିତ ଏହି ବିମାନବନ୍ଦରର ସୀମା ନିର୍ଦ୍ଧାରଣ ଓ ପାଚେରୀ କାମ ଶେଷହୋଇଛି। ତେବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିକଟରେ ବିମାନ ବନ୍ଦର ସଂପର୍କିତ ପ୍ରକଳ୍ପ ସାଇଟ୍‌ କ୍ଲିଅରାନ୍‌ସ ସେପ୍ଟେମ୍ବର ୨୦୨୨ରୁ ପଡ଼ିରହିଛି। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟ୍ରାଫିକ ଅଧିକ ହୋଇଗଲାଣି। ତେଣୁ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟର ଶୀଘ୍ର କ୍ରିୟାନ୍ବୟନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ପ୍ରଧାନମନ୍ତ୍ରୀ ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଭାରତନେଟ୍‌ ଫେଜ-୨ ଯୋଜନାରେ ଓଡ଼ିଶାକୁ ବିଶେଷ ଗୁରତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ‘ଉଦ୍ୟମୀ’ ଯୋଜନାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ୫ଟି ମାଗଣା ସଂଯୋଗୀକରଣର ବ୍ୟବସ୍ଥା ରହିଛି, ଯାହାକୁ ଭାରତନେଟ୍‌ ଫେଜ-୨ ଯୋଜନାରେ ସାମିଲ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଭାରତ ନେଟ୍‌କୁ ଗ୍ରାମପଞ୍ଚାୟତରୁ ଗାଁ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ପାଇଁ ଟେଲି ଯୋଗାଯୋଗ ମନ୍ତ୍ରାଳୟ ନିକଟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦାଖଲ କରାଯାଇଛି। ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ମୋଦୀଙ୍କୁ ଅବଗତ କରିଥିଲେ ନବୀନ।

ଏବେବି ରାଜ୍ୟର ଅନେକ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ପହଞ୍ଚିପାରି ନାହିଁ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ଫାଇନାନସିଆଲ ସର୍ଭିସେସ ବିଭାଗ ଦ୍ବାରା ଦୁଇ ବର୍ଷିଆ ଯୋଜନା ଅର୍ନ୍ତଗତ ବ୍ୟାଙ୍କ ବିହୀନ ଗ୍ରାମପଞ୍ଚାୟତରେ ବ୍ୟାଙ୍କ ବ୍ୟବସ୍ଥା ସ୍ଥାପନ କରାଯାଉ। ଏଥି ସହିତ ବୟୋଜ୍ୟେଷ୍ଠ ଓ ଦିବ୍ୟାଙ୍ଗ ହିତାଧିକାରୀମାନେ ଯେଉଁମାନଙ୍କୁ ବ୍ୟାଙ୍କକୁ ଯାଇ ଅର୍ଥ ଆଣିବାରେ ଅସୁବିଧା ହେଉଛି, ସେମାନଙ୍କ ପାଇଁ କେନ୍ଦ୍ର ସରକାର ନିୟମ କୋହଳ କରିବାର ଆବଶ୍ୟକତା ରହିଛି।

ରାଜ୍ୟର ୮ଟି ଅଧପନ୍ତରିଆ ଜାତୀୟ ରାଜପଥ ଗୁଡିକର କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦାବି କରିଥିଲେ। ଅସମ୍ପୂର୍ଣ୍ଣ ଜାତୀୟ ରାଜପଥ ତାଲିକାରେ ଏନ୍‌ଏଚ୍‌- ୫୫ର କଟକ-ଅନୁଗୁଳ ସେକ୍ସନ, ଏନ୍‌ଏଚ୍‌-୪୨ର ଅନୁଗୁଳ-ସମ୍ବଲପୁର ସେକ୍ସନ, ଏନ୍‌ଏଚ୍‌-୨୩ର ରାଜମୁଣ୍ଡା-ବାରକୋଟେ ସେକ୍ସନ, ଏନ୍‌ଏଚ୍‌-୨୦୦ର ଡୁବୁରି-ଚଣ୍ଡିଖୋଲ ସେକ୍ସନ, ଏନ୍‌ଏଚ୍‌-୫(ନୂଆ ଏନ୍‌ଏଚ୍‌-୧୬)ର ଭଦ୍ରକ-ବାଲେଶ୍ବର ସେକ୍ସନ, ଟାଙ୍ଗୀ ଭୁବନେଶ୍ବର ସେକ୍ସନ ଓ ପୁନିତୋଲା ଟାଙ୍ଗୀ ସେକ୍ସନ ରହିଛି। ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଉପରୋକ୍ତ ଜାତୀୟ ରାଜପଥଗୁଡ଼ିକର କାର୍ଯ୍ୟ ୨୦୧୭ ଓ ୨୦୧୮ ମଧ୍ୟରେ ଆରମ୍ଭ ହୋଇଥିଲା।