ମୋଦୀ, ଶାହଙ୍କୁ ଭେଟିଲେ ନବୀନ

ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇନାହିଁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ। ସୋମବାର ଦିନ ପ୍ରଧାନମନ୍ତ୍ରୀଙ୍କୁ ସ‌ାକ୍ଷାତ କରିବା ପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଦିଲ୍ଲୀ ଗସ୍ତକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ହେଲେ ଏହି ପ୍ରସଙ୍ଗରେ ସେ କୌଣସି ଆଲୋଚନା କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କର ତିନି ଦିନିଆ ଦିଲ୍ଲୀ ଗସ୍ତରେ ପହଞ୍ଚିବା ପରେ ଅପରାହ୍ନ ୪ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ସାଉଥ ବ୍ଲକ କାର୍ଯ୍ୟାଳୟରେ ଭେଟିଥିଲେ। ଦୁଇ ଜଣଙ୍କ ମଧ୍ୟରେ ପାଖାପାଖି ୩୦ ମିନିଟ ଧରି ଆଲୋଚନା ‌ହୋଇଥିଲା। ବୈଠକ ପରେ ନିଜର ଏପିଜେ ଅବଦୁଲ କଲାମ ମାର୍ଗସ୍ଥିତ ବାସଭବନରେ ଅପେକ୍ଷାରତ ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ଆଜିର ବୈଠକ ସଂପର୍କରେ ସୂଚନା ଦେଇ ନବୀନ କହିଥିଲେ ଯେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। କରୋନା ମହାମାରୀ ଯୋଗୁଁ ସେ ଅନେକ ଦିନ ହେଲା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିନଥିଲେ। ଆଜିର ସାକ୍ଷାତ ସମୟରେ ସେ ଓଡିଶା ସ୍ବାର୍ଥ ସଂପର୍କିତ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା, ସେସଂପର୍କରେ କିଛି କହିନଥିଲେ। ମୁଖ୍ୟମନ୍ତ୍ରୀ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହିତ ତାଙ୍କର ଆଜିର ସାକ୍ଷାତ ଆଲୋଚନା ସଂପର୍କରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ମାସ ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଆସିଥି‌ଲେ। ସେ ସମୟରେ ତାଙ୍କର
ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନଙ୍କ ସହିତ ସାକ୍ଷାତ ହୋଇପାରିନଥିଲା। ଗତ ମାସ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ପ୍ରଧାନ ବିଚାରପତି ମାନଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉପସ୍ଥିତ ଥିଲେ। ଏସବୁ ସତ୍ତ୍ବେ ଆଜିର ମୋଦୀ-ଶାହ-ନବୀନଙ୍କ ଆଲୋଚନାକୁ ରାଜନୈତିକ ମହଲ ବେଶ୍ ଗୁରୁତ୍ବ ଦେଉଛନ୍ତି। ବିଶେଷକରି ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ଏହା ଚର୍ଚ୍ଚାକୁ ଆସିଛି। ୨୦୧୮ ବିଜେପୁର ଉପନିର୍ବାଚନ ପୂର୍ବରୁ ମଧ୍ୟ ନବୀନ ଅନୁରୂପ କୌଶଳ ଆପଣାଇଥିଲେ ଓ ସେ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଜୁ ବାବୁଙ୍କ ସଂପର୍କିତ ବହି ଉପହାର ଦେଇଥିଲେ। ଏହି ବୈଠକ ସ୍ଥାନୀୟ ଅଞ୍ଚଳରେ ଭୋଟ ଉପରେ, ବିଶେଷକରି ବିଜେପି କର୍ମୀଙ୍କ ଉପରେ ଜବରଦସ୍ତ ପ୍ରଭାବ ପକାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ସୋମବାର ସଂଧ୍ୟାରେ ନବୀନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ସରକାରୀ ବାସଭବନକୁ ଯାଇ ସାକ୍ଷାତ କରିଥିଲେ। ଦୁଇ ଜଣଙ୍କ ମଧ୍ୟରେ ପାଖାପାଖି ୧୫ ମିନିଟ ଧରି ଆଲୋଚନା ହୋଇଥିବାର ଜଣାପଡିଛି। ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ କାର୍ଯ୍ୟକ୍ରମରେ ବ୍ୟସ୍ତଥିବା ଯୋଗୁଁ ନିର୍ଧାରିତ ସମୟରୁ ଏକ ଘଣ୍ଟା ବିଳମ୍ବରେ ଦୁଇନେତାଙ୍କର ସାକ୍ଷାତ ହୋଇଥିଲା।

ସମ୍ବନ୍ଧିତ ଖବର