ଭୁବନେଶ୍ବର : ୨୦୨୪ ଲୋକସଭା ନିର୍ବାଚନକୁ ଆହୁରି ଦୁଇ ବର୍ଷ ଥିଲେ ବି ଏବେ ଠାରୁ ଏକ ଅଣ-କଂଗ୍ରେସ, ଅଣ-ବିଜେପି ୩ୟ ସାମୁଖ୍ୟ ଗଠନ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ତେବେ ଏହି ୩ୟ ସାମୁଖ୍ୟରେ ବିଜୁ ଜନତା ଦଳ (ବିଜେଡି) ଯୋଗ ଦେବ କି ? ଏ ସମ୍ପର୍କରେ କ’ଣ କହୁଛନ୍ତି? ସଂପ୍ରତି ନୂଆଦିଲ୍ଲୀ ଗସ୍ତରେ ଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମକୁ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବିଜେଡି ଉଭୟ ଏଡିଏ ଓ ୟୁପିଏ ଠାରୁ ପୂର୍ବଭଳି ସମଦୂରତ୍ବ ବଜାୟ ରଖିବ ବୋଲି ସେ କହିଛନ୍ତି।
ଏକ ଅଣ-କଂଗ୍ରେସ, ଅଣ-ବିଜେପି ୩ୟ ସାମୁଖ୍ୟ ଗଠନ ସମ୍ଭବ କି? ଏଭଳି ଏକ ପ୍ରଶ୍ନର ଉତ୍ତରରେ ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ନବୀନ କହିଛନ୍ତି ଯେ ଯେତେବେଳେ ସମୟ ଆସିବ ଆମେ ସେତେବେଳେ ସେ ସମ୍ପର୍କରେ ଉଚିତ ନିଷ୍ପତ୍ତି ନେବୁ । ତେବେ ଏତେ ଶୀଘ୍ର ସେ ସଂପର୍କରେ କହିବା ଉଚିତ ହେବନାହିଁ । ତେବେ ତାଙ୍କ ଦଳ କୌଣସି ପ୍ରକାରର ରାଜନୈତିକ ସାମୁଖ୍ୟର ଅଂଶବିଶେଷ ହେବା ଅପେକ୍ଷା ନିରପେକ୍ଷତା ବଜାୟ ରଖିବାକୁ ପସନ୍ଦ କରିବ ବୋଲି ସେ କହିଛନ୍ତି ।
/sambad/media/post_attachments/wp-content/uploads/2022/04/Naveen-copy.jpg)
ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କେଉଁ ବ୍ୟକ୍ତି ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେଉଛନ୍ତି ତାହାକୁ ଦେଖି ତାଙ୍କ ଦଳ ସମର୍ଥନ ଦେବା ନେଇ ନିଷ୍ପତ୍ତି ନେବ । “ଆଗ ଦେଖିବା କିଏ ପ୍ରାର୍ଥୀ ହେଉଛି, ତାହାହିଁ ଗୁରୁତ୍ବପୂର୍ଣ୍ଣ” ବୋଲି ନବୀନ କହିଛନ୍ତି । ଅନ୍ୟ ପକ୍ଷରେ ବିଜୁ ଜନତା ଦଳ ସବୁ ବେଳେ ସ୍ବାଧୀନ ନିଷ୍ପତ୍ତିକୁ ପସନ୍ଦ କରି ଆସିଛି ଏବଂ ଏହାକୁ ବଜାୟ ରଖିବ ବୋଲି ବିଜେଡି ସୁପ୍ରିମୋ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇଥିଲା । ଏଥରର ରାଷ୍ଟ୍ରପତି ନିର୍ବାଚନରେ ବି ଏନଡିଏ ପାଇଁ ବିଜେଡିର ସମର୍ଥନ ଜରୁରୀ ହୋଇପଡ଼ିଛି । କାରଣ ନିଜର ପ୍ରାର୍ଥୀଙ୍କୁ ଜିତାଇବାକୁ ଏନଡିଏ ପାଖରେ ଏବେ ବି ୧.୨ ପ୍ରତିଶତ ଭୋଟ କମ ରହିଛି । ଉଭୟ ରାଜ୍ୟସଭା ଓ ଲୋକସଭାରେ ବିଜେଡିର ମୋଟ ୨୧ ଜଣ ସାଂସଦ ଥିବାବେଳେ ବିଜେଡି ପାଖରେ ଇଲେକ୍ଟରାଲ କଲେଜର ମୋଟ ୩.୨୨ ପ୍ରତିଶତ ଭୋଟ ରହିଛି । ଏଣୁ ଏନଡିଏ ପାଇଁ ବିଜେଡିର ସମର୍ଥନ ଜରୁରୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/WhatsApp-Image-2022-04-30-at-7.06.44-PM.jpeg)