ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ

ମୋଦୀଙ୍କ ପରେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ

ନୂଆଦିଲ୍ଲୀ : ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସକାଳ ୧୦ଟା ୩୦ଟାରେ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚମ ପାଳି ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଭେଟିବେ। ଗତକାଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା ବେଳେ ସେ ଫନି କ୍ଷୟକ୍ଷତି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବେ।

ତେବେ ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ସାକ୍ଷାତ ସମୟରେ ଏକ ସ୍ମାରକପତ୍ର (ମେମୋରାଣ୍ଡମ) ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିପାରନ୍ତି। ଏଥିରେ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଏକାଧିକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯିବା ସହିତ କେନ୍ଦ୍ରର ସହାୟତା ଲୋଡ଼ାଯିବ। ନିକଟରେ ରାଜ୍ୟ ସରକାର ବାତ୍ୟା ଫନିର କ୍ଷୟକ୍ଷତି ସମ୍ପର୍କିତ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୫୨୨୭.୬୮ କୋଟି ଟଙ୍କାର କେନ୍ଦ୍ର ନିକଟରେ ଦାବି ରଖିଛନ୍ତି। ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରାଯିବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ନବୀନ ଦାବି ରଖିପାରନ୍ତି।

ଆଲୋଚନା ସମୟରେ ଓଡ଼ିଶାକୁ ସ୍ବତନ୍ତ୍ରରାଜ୍ୟ ମାନ୍ୟତା ପ୍ରଦାନ କରାଯିବାର ଦାବିକୁ ମଧ୍ୟ ନବୀନ ଦୋହରାଇବେ ବୋଲି ଜଣାପଡ଼ିଛି। ଏତଦ୍ ବ୍ୟତୀତ ଓଡ଼ିଶାକୁ ବିଭିନ୍ନ ଯୋଜନା ଅନ୍ତର୍ଗତ ସ୍ବତନ୍ତ୍ର ପ୍ୟାକେଜ୍ ର ବ୍ୟବସ୍ଥା ପାଇଁ ମଧ୍ୟ ନବୀନ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିବାର ସମ୍ଭାବନା ରହିଛି।

ସାଧାରଣ ବଜେଟ୍‌ ଓ େରଳ ବଜେଟକୁ ଧ୍ୟାନରେ ରଖି ଅନୁଦାନର ହାର ବୃଦ୍ଧି କରିବା ପାଇଁ ଦାବି ଉପସ୍ଥାପନ କରିପାରନ୍ତି ମୁଖ୍ୟମନ୍ତ୍ରୀ। କୋଇଲା ରୟାଲିଟି ବୃଦ୍ଧି ପ୍ରସଙ୍ଗ ସ୍ଥାନ ପାଇପାରେ। ସେହିଭଳି ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେବ କି ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହିତ କଥା େହାଇପାରନ୍ତି େବାଲି ସୂଚନା ମିଳିଛି।

ବିଜେପି ଏଥର ଲୋକସଭାର ଉପବାଚସ୍ପତି ପଦ ବିଜେଡିକୁ ଦେବାକୁ ନେଇ ଚର୍ଚ୍ଚା ଜାରି ରହିଥିବାରୁ ନବୀନ ଏ ନେଇ ତାଙ୍କର ଆଭିମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏତଦ୍ ବ୍ୟତୀତ ଆଗାମୀ ବଜେଟ୍ ଅଧିବେଶନରେ ସଂସଦର ଉଭୟ ଗୃହରେ ଗୁରୁତ୍ବପୂର୍ଣ୍ଣ ବିଭିନ୍ନ ବିଲ୍ ଗୁଡ଼ିକ ପାରିତ ହେବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲୋଚନା ସମୟରେ ନବୀନ ସହଯୋଗର ଆଶ୍ବାସନା ଦେଇପାରନ୍ତି ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହିତ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଖାପାଖି ୨୦ ମିନିଟ୍ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂତ୍ରରୁ ଜଣା ପଡ଼ିଛି। ୨୦୧୪ ମସିହା ଜୁନ ୨ରେ ମୁଖ୍ୟମନ୍ତ୍ରୀ ଲୋକସଭା ଓ ରାଜ୍ୟସଭାର ୨୪ ଜଣ ସାଂସଦଙ୍କ ସହିତ ନବୀନ ଭେଟିଥିଲେ। ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ମଧ୍ୟାହ୍ନ ୧୨ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ ନବୀନ ପଟ୍ଟନାୟକ ସୌଜନ୍ୟମୂଳକ ସାକ୍ଷାତ କରିବେ।

ସମ୍ବନ୍ଧିତ ଖବର