ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତର ଚତୁର୍ଥ ଦିବସରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାର ବିଭିନ୍ନ ବିଚାରାଧୀନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ୫-ଟି ସଚିବ ଭିକେ ପାଣ୍ଡିଆନ, ଆବାସିକ କମିସନର ରବିକାନ୍ତ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Advertisment

ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ନିକଟରେ ବିଚାରାଧୀନ ସମସ୍ତ ପ୍ରକଳ୍ପର ସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଆବାସିକ କମିସନର ରବି କାନ୍ତଙ୍କ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ବାକି ପଡ଼ିଥିବା ପ୍ରକଳ୍ପର ସମୀକ୍ଷା, ମାଇକ୍ରୋ ସ୍ତରରେ ବିଚାରାଧୀନ ପ୍ରକଳ୍ପଗୁଡ଼ିକରେ ଥିବା ସମସ୍ୟା ଓ ପ୍ରତିବନ୍ଧକ ଚିହ୍ନଟ ଏବଂ ଏହାର କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଗତ ଶୁକ୍ରବାରଠାରୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଶନିବାର ସେ ଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ଦିନିକିଆ ସମ୍ମିଳନୀରେ ଯୋଗ ଦେଇଥିଲେ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିବା ବେଳେ ଆଜି ଭାରତ ସରକାରଙ୍କ ଅନୁମତି ଅପେକ୍ଷାରେ ତଥା ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରିଥିଲେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିଯିବେ ବୋଲି ଜଣାପଡ଼ିଛି।