ଦିଲ୍ଲୀରେ ବିଜେଡି, କଂଗ୍ରେସ ନେତାଙ୍କ ଭିଡ଼: ଆଜି ନବୀନ ଗ୍ରହଣ କରିବେ ପୁରସ୍କାର

ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେବେ କଂଗ୍ରେସ ନେତା

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର୍‌ (ଆଇଆଇସି)ରେ କ୍ୟାପିଟାଲ୍‌ ଫାଉଣ୍ଡେସନ୍‌ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ସୁପ୍ରିମକୋର୍ଟର ପ୍ରାକ୍ତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏମ୍‌ଭି ରମଣା ମୁ୍‌ଖ୍ୟମନ୍ତ୍ରୀଙ୍କୁ ପୁରସ୍କୃତ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀରେ ଶୁଭେଚ୍ଛା ଜଣାଇବା ପାଇଁ ବିଜେଡି ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଅଶୋକ କୁମାର ପଣ୍ଡାଙ୍କ ସମେତ ବିଜେଡିର ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରୁଣ କୁମାର ସାହୁ, ବ୍ୟୋମକାଶ ରାୟ, ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଓ ଛାତ୍ର ଜନତା ଦଳର ନେତାମାନେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଗ୍ରହଣ ସମୟରେ ବିଜେଡି ମନ୍ତ୍ରୀ ଓ କିଛି ପ୍ରମୁଖ ନେତାମାନେ ଉପସ୍ଥିତ ରହିବେ । ମିଳିଥିବା ସୂଚନା ଅନୁସାରେ କ୍ୟାପିଟାଲ ଫାଉଣ୍ଡେସନ୍‌ ସୋସାଇଟି ତରଫରୁ ମୁଖ୍ୟମନ୍ତ୍ରୀ ସମ୍ମାନ ଗ୍ରହଣ କରି ସାରିବା ପରେ ସିଧା ଓଡିଶା ଭବନକୁ ଆସିବେ। ଓଡ଼ିଶା ଭବନରେ ପ୍ରବାସୀ ଓଡ଼ିଆ ତଥା ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଇତି ମଧ୍ୟରେ ରାଜ୍ୟର ମନ୍ତ୍ରୀ ଓ ନେତାମାନଙ୍କ ଦ୍ବାରା ଓଡ଼ିଶା ଭବନରେ ସମ୍ବର୍ଦ୍ଧନା ପ୍ରସ୍ତୁତିର ସମୀକ୍ଷା କରାଯାଇଛି।

ଅନ୍ୟ ପଟେ ଆଜି ଦିଲ୍ଲୀର ରାମଲୀଳା ମଇଦାନରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ‘ମହଙ୍ଗାଇ ପର ହାଲ୍ଲାବୋଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମରେ ଦେଶର ସମସ୍ତ ରାଜ୍ୟରୁ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଯୋଗଦେବାର ସମ୍ଭାବନା ରହିଛି। ଏହି କ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସର ଶତାଧିକ କର୍ମୀ ଦିଲ୍ଲୀ ଆସି ପହଞ୍ଚିଛନ୍ତି। ଏଥିରେ ରାଜ୍ୟର କଂଗ୍ରେସ ବିଧାୟକମାନ ମଧ୍ୟ ସାମିଲ ହୋଇଛନ୍ତି। କଂଗ୍ରେସ କର୍ମୀମାନେ ଦରଦାମ ବୃଦ୍ଧି ସମେତ ମୋଦୀ ସରକାରଙ୍କ ବିରୋଧରେ ବିଭିନ୍ନ ଯୋଜନା ଉପରେ ପ୍ରତିବାଦ କରିବେ। ଉଭୟ ବିଜେଡି ଓ କଂଗ୍ରେସର ନେତାମାନେ ଦିଲ୍ଲୀର ଓଡ଼ିଶା ଭବନ, ଓଡ଼ିଶା ନିବାସ ଓ ବିଭିନ୍ନ ଅତିଥି ଭବନମାନଙ୍କରେ ଅବସ୍ଥାନ କରୁଛନ୍ତି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବିଜେଡି ନେତାଙ୍କ ଦିଲ୍ଲୀ ଆଗମନ ଏବଂ ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ପାଇଁ ଓଡ଼ିଶା କଂଗ୍ରେସ ନେତାଙ୍କ ଦିଲ୍ଲୀ ମୁହାଁ ହେବା ଯୋଗୁଁ ରାଜନୈତିକ ଉଷ୍ମତା ଆଣିଦେଇଛି। ‌

ସମ୍ବନ୍ଧିତ ଖବର