ସାର କମ୍‌ ଯୋଗାଣ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ: ‘ମାସିକିଆ ‌ସାର କୋଟା ଦିଅ’

ସାର ଯୋଗାଣ ନହେଲେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ
କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ବର/ନୂଆଦିଲ୍ଲୀ : ଚଳିତ ଖରିଫ୍ ଋତୁରେ ରାଜ୍ୟକୁ କମ୍‌ ସାର ଯୋଗାଣ ହୋଇଥିବାରୁ ତୁରନ୍ତ ରାଜ୍ୟ କୋଟାର ସାର ଯୋଗାଇବାକୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଆଜି ନବୀନ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ନୂଆଦିଲ୍ଲୀରେ ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି। ଓଡ଼ିଶାକୁ ପର୍ଯ୍ୟାପ୍ତ ମାତ୍ରାରେ ସାର ଯୋଗାଇବାକୁ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଚଳିତ ବର୍ଷ ବାତ୍ୟ ୟାସ୍‌ ଏବଂ ଗତ କିଛି ବର୍ଷ ଲଗାତାର ବାତ୍ୟା ଯୋଗୁଁ ରାଜ୍ୟରେ ଚାଷୀଙ୍କର ବହୁ ଶସ୍ୟ ନଷ୍ଟ ହୋଇଛି। ସେମାନଙ୍କର ଶସ୍ୟ ଉତ୍ପାଦନ ପ୍ରଭାବିତ ହୋଇଛି। ଚା‌ଷୀର ଉତ୍ପାଦନ ଅନୁକୂଳ କରିବାକୁ ହେଲେ ଠିକ୍ ସମୟରେ ଆବଶ୍ୟକୀୟ ସାର ଯୋଗାଇବାକୁ ହେବ। ଜୁଲାଇ ମଧ୍ୟ ଭାଗରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ୟୁରିଆର ଅଧିକ ଚାହିଦା ଥିବାବେଳେ ଜୁଲାଇ ଓ ଅଗଷ୍ଟରେ ବାକି ସାରର ଚାହିଦା ଥାଏ। ଠିକ୍ ସମୟରେ ଚାଷୀ ପାଖରେ ସାର ନପହଞ୍ଚିଲେ ଚାଷ ପ୍ରଭାବିତ ହେବ। ଏପରିକି ବହୁ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଚାଷୀଙ୍କ ସ୍ବାର୍ଥ ପାଇଁ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ସହ ରାଜ୍ୟର ମାସିକ କୋଟା ଓ ବକେୟା ସାର ଯୋଗାଣ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଏପ୍ରିଲ ମାସରେ ରାଜ୍ୟକୁ ଆବଶ୍ୟକୀୟ ସାର ମିଳିଥିଲା। ମେ, ଜୁନ୍ ଓ ଜୁଲାଇରେ ଆବଶ୍ୟକତା ଠାରୁ ବହୁତ କମ୍‌ ସାର ଯୋଗାଣ ହୋଇଛି। ଚଳିତ ଖରିଫ୍ ଋତୁରେ ଆଜି ସୁଦ୍ଧା ରାଜ୍ୟକୁ ୨,୩୧,୫୩୦ ମେଟ୍ରିକ୍ ଟନ୍ ୟୁରିଆ ଆବଣ୍ଟନ ହେବାକୁ ଥିବାବେଳେ ୨,୧୦,୦୦୦ ମେଟ୍ରିକ ଟନ୍ ଯୋଗାଇବାକୁ ସହମତ ହୋଇଥିଲେ। କିନ୍ତୁ ରାଜ୍ୟକୁ ୧,୪୫,୧୪୫ମେଟ୍ରିକ୍ ଟନ୍ ୟୁରିଆ ମିଳିଛି।

ସେହିପରି୧,୫୨,୦୦୦ ମେଟ୍ରିକ୍ ଟନ୍ ଡିଏପି ଆବଣ୍ଟନ ହେବାକୁ ଥିବାବେଳେ ୧,୪୫,୦୦୦ ମେଟ୍ରିକ ଟନ୍ ଯୋଗାଇବାକୁ ସହମତ ହୋଇଥିଲେ। କିନ୍ତୁ ରାଜ୍ୟକୁ ୯୭,୭୬୩ ମେଟ୍ରିକ୍ ଟନ୍ ଡିଏପି ମିଳିଛି। ୬୭,୨୦୦ ମେଟ୍ରିକ୍ ଟନ୍ ଏମ୍‌ଓପି ଆବଣ୍ଟନ ଆବଶ୍ୟକ ଥିବାବେଳେ ୬୦ହଜାର ମେଟ୍ରିକ୍ ଟନ୍ ଯୋଗାଣ କରିବାର ଥିଲା। ହେଲେ ମିଳିଛି ୪୨,୮୬୭ ମେଟ୍ରିକ୍ ଟନ୍। ୧,୬୮,୪୦୦ ମେଟ୍ରିକ୍ ଟନ୍ ଏନ୍‌ପିକେ ଆବଣ୍ଟନ ହେବାକୁ ଥିବାବେଳେ ୧,୪୨,୦୦୦ ମେଟ୍ରିକ୍ ଟନ୍ ଯୋଗାଇବାକୁ ସହମତ ଥିଲେ। କିନ୍ତୁ ମିଳିଛି ୧,୦୫,୭୯୮ ମେଟ୍ରିକ୍ ଟନ୍। ବର୍ତ୍ତମାନ ସ୍ଥିତିରେ ଆବଣ୍ଟନର ୬୨% ଏବଂ ସହମତର ୬୯% ୟୁରିଆ ମିଳିଥିବାବେଳେ ବାକି ସାର ୬୦ରୁ ୭୪% ମଧ୍ୟରେ ମିଳିଛି।

ଅପରପକ୍ଷେ ବିଜେଡି ସାଂସଦମାନଙ୍କ ପ୍ରତିନିଧି ଦଳ ଆଜି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଭେଟି ସାର ଯୋଗାଣ ଯୋଗୁଁ ରାଜ୍ୟରେ ଉପୁଜିଥିବା ସମସ୍ୟା ବିଷୟରେ ଅବଗତ କରାଇଥିଲେ। ଏହାସହ କମ୍‌ ସାର ଯୋଗାଣ ନେଇ ଜୁନ୍‌୨୧ରେ କୃଷି ମନ୍ତ୍ରୀ ଅରୁଣ ସାହୁ, ଜୁନ୍ ୭ରେ କୃଷି ବିଭାଗ ସ୍ବତନ୍ତ୍ର ସଚିବ, ଜୁଲାଇ ୧୫ରେ କୃଷି ଉତ୍ପାଦନ କମିସନର ଲେଖିଥିବା ଚିଠି ବିଷୟରେ ଅବଗତ କରାଇଥିଲେ। ବିଜେଡି ସାଂସଦଙ୍କ ଦାବି ଶୁଣିବା ପରେ ଏ ଦିଗରେ ଅନୁଧ୍ୟାନ କରି ଖୁବ୍‌ ଶୀଘ୍ର ପଦକ୍ଷେପ ନେବେ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ମାଣ୍ଡଭିୟା କହିଛନ୍ତି।

‘ଚାଷୀଙ୍କୁ ବିଭ୍ରାନ୍ତ କରୁଛି ବିଜେଡି’
ଭୁବନେଶ୍ବର : ରାଜ୍ୟର ଆବଶ୍ୟକ ଅନୁଯାୟୀ ସାର ମହଜୁଦ୍ ଥିବାବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି ଏବଂ ବିଜେଡି ସାଂସଦମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ସାର ଯୋଗାଇବାକୁ ଦାବି କରୁଛନ୍ତି। ବାସ୍ତବରେ ବିଜେଡି ସରକାର ସାର ବିକ୍ରିର କୃତ୍ରିମ ଅଭାବ ସୃଷ୍ଟି କରିଛନ୍ତି ବୋଲି ବି‌େଜପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ସରକାର ଧାର୍ଯ୍ୟ ଆବଣ୍ଟିତ ପରିମାଣର ସାର ଠାରୁ କମ୍‌ ସାର ଦିଆଯାଇଥିବା କହି କେନ୍ଦ୍ରକୁ ଯେଉଁ ଚିଠି ଲେଖିଛନ୍ତି ତାହା ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ନିଜର ଅପରାଗତା ଲୁଚାଇବାକୁ କେନ୍ଦ୍ର ଉପରେ ଦୋଷ ଲଦିବାର ଆଉ ଏକ ଉଦାହରଣ।

ସମ୍ବନ୍ଧିତ ଖବର