୪ ଜୁନ୍ ୨୦୨୩, ରବିବାର ସନ୍ଧ୍ୟା। ସିଙ୍ଗାପୁରଠାରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ଦାୟିତ୍ବ) ରୋହିତ ପୂଜାରୀ ଆତ୍ମବିଶ୍ବାସର ସହ ନିଜ ବକ୍ତବ୍ୟ ରଖିଥିଲେ। ରାଜ୍ୟ ସରକାରଙ୍କ ଅନେକ ଉପଲବ୍ଧି ବଖାଣିବା ସହ ନବୀନଙ୍କ ନେତୃତ୍ବର ଭୂୟସୀ ପ୍ରଶଂସା କରିଥିଲେ। ପାଣ୍ଡିଆନ୍ଙ୍କୁ ବି ପ୍ରଶଂସା କଲେ। ଏପରିକି ପ୍ରୋଟୋକଲ ବାହାରକୁ ଗଲେ; ନିଜେ ମନ୍ତ୍ରୀ ହୋଇ ୫-ଟି ସଚିବଙ୍କ ବିଷୟରେ ସୂଚନା ଦେଲେ। ‘୫-ଟି ସଚିବ ମଧ୍ୟ ସିଙ୍ଗାପୁର ଆସିଥାନ୍ତେ, ରେଳ ଦୁର୍ଘଟଣା ପାଇଁ ତାଙ୍କୁ ରହିଯିବାକୁ ହେଲା’ ବୋଲି କହିଲେ। ସିଙ୍ଗାପୁରରେ ତିନିଦିନର ରହଣୀ ବେଳେ ୪ ତାରିଖର ସେଇ ଏକମାତ୍ର ସରକାରୀ କାର୍ଯ୍ୟକ୍ରମକୁ ବାଦ୍ ଦେଲେ ଅନ୍ୟସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଟ୍ରେନ୍ ଦୁର୍ଘଟଣାର ଶୋକ ପାଇଁ ବାତିଲ ହୋଇଥିଲା।
/sambad/media/post_attachments/wp-content/uploads/2023/06/41-8.jpg)
ପ୍ରତିନିଧି ଦଳର ଅନ୍ୟ ସମସ୍ତେ ବୁଲାବୁଲିରେ ମାତିଥିବା ବେଳେ ସମୟ ବାହାର କରି ପୂଜାରୀ ବିଶ୍ବସ୍ତରୀୟ ଉଚ୍ଚଶିକ୍ଷାନୁଷ୍ଠାନ ସିଙ୍ଗାପୁର ଜାତୀୟ ବିଶ୍ବବିଦ୍ୟାଳୟରେ ଉଦ୍ବୋଧନ ଦେଇଥିଲେ। ତେଣୁ ସେ ମୋଟାମୋଟି ଖୁସି ଥିବା ସମସ୍ତେ ଅନୁଭବ କରିଥିଲେ। ହେଲେ ତାଙ୍କୁ ଯେ ମାତ୍ର ଚାରିଦିନ ଭିତରେ ମନ୍ତ୍ରୀପଦରୁ ବିଦା ହେବାକୁ ପଡ଼ିବ, ତାହା ସେ ସ୍ବପ୍ନରେ ସୁଦ୍ଧା ଭାବିନଥିବେ। ସାମାଜିକ ଗଣମାଧ୍ୟମରେ ଅନେକ କଥା ଚର୍ଚ୍ଚା ହେଉଛି। ନିକଟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଥିଲା। ତାଙ୍କୁ ଇସ୍ତଫା ଦେବାକୁ କହି ୩ ବଦଳରେ ୪ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ନେଇଥିଲେ ବି ଚଳିଥାନ୍ତା। ପ୍ରଶ୍ନ ହେଉଛି, ଏମିତି କୋଉ ପରିସ୍ଥିତି ଏପରି ଏକ କଠୋର ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବାଧ୍ୟ କଲା? ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟଦକ୍ଷତାର ସମୀକ୍ଷା ତାରିଖ ଓ ରାଜନେତାଙ୍କ ବୟସ ନେଇ ରୋହିତ ଦେଇଥିବା ମନ୍ତବ୍ୟର ତାରିଖକୁ ଦେଖିଲେ ନିଷ୍ପତ୍ତିରେ କିଛି ଅସ୍ବାଭାବିକତା ନାହିଁ ବୋଲି ଯୁକ୍ତି ହେଉଛି। ଏବେ କଥା ଉଠୁଛି, ଇସ୍ତଫା ଦେବାକୁ ନ କହି ତାଙ୍କୁ ବହିଷ୍କାର କରିବା ପଛରେ କାରଣ କ’ଣ?
ନଳିନୀ-କମଳା-ପ୍ରଶାନ୍ତଙ୍କୁ ବିଦା କଲାବେଳେ କଥା ଅଲଗା ଥିଲା। ଏବେ ଦଳରେ ମୁଖ୍ୟମନ୍ତ୍ରୀଙ୍କ ପତିଆରା ଯାହା, ତାଙ୍କ ସାମାନ୍ୟ ଇଶାରାରେ ଯେ କେହି ଇସ୍ତଫା ଦେଇେଦେବେ। ଆଉ ମଧ୍ୟ ପ୍ରଶ୍ନ ହେଉଛି, ଯଦି ଅପାରଗତା ସତରେ ମୁଖ୍ୟ କାରଣ, କେବଳ ବିଷ୍ଣୁପଦ କାହିଁକି, ତାଙ୍କ ପୂର୍ବରୁ ଲମ୍ବା ସମୟ (୨୦୨୨ ଅଗଷ୍ଟ ଯାଏ) ଉଚ୍ଚଶିକ୍ଷା ବିଭାଗର ସଚିବ ରହିଥିବା ଶାଶ୍ବତ ମିଶ୍ରଙ୍କ ପ୍ରଦର୍ଶନ କଥା ମଧ୍ୟ ଉଠିବା ଉଚିତ ନୁହେଁ କି? ଆଉ ଯଦି ଅଧ୍ୟାପକ ବଦଳିରେ ଦୁର୍ନୀତି ପରି ଅଭିଯୋଗ ମୁଖ୍ୟ କାରଣ ହୋଇଥାଏ, ତଦନ୍ତ କମିସନ ବସାଇବା ଦାବି ମଧ୍ୟ ଅମୂଳକ ନୁହେଁ। ଅନ୍ୟ ପକ୍ଷରେ, ଝାରସୁଗୁଡ଼ାରେ ନବଙ୍କ ପରେ କୋଇଲା ପରିବହନ ସାମ୍ରାଜ୍ୟରେ ଆଧିପତ୍ୟକୁ ନେଇ ଶାସକ ଦଳର ନେତାମାନଙ୍କ ମଧ୍ୟରେ ଟଣାଓଟରାର ପରିଣାମ ବୋଲି ମଧ୍ୟ ଆଲୋଚନା ହେଉଛି। ଏମିତିରେ ଏଥର ରୋହିତଙ୍କ ରେଢ଼ାଖୋଲ ଆସନରୁ ପ୍ରସନ୍ନ ଆଚାର୍ଯ୍ୟ ପୁଣି ଲଢ଼ିବେ, ତେଣୁ ରୋହିତଙ୍କୁ ସମ୍ବଲପୁର ବିଧାନସଭା ଆସନ କିମ୍ବା ଲୋକସଭା ଆସନରୁ ଲଢ଼ିବାକୁ କୁହାଯାଇପାରେ ବୋଲି ପୂର୍ବରୁ ମଧ୍ୟ ଆଲୋଚନା ହୋଇଆସୁଥିଲା। ତେବେ ଯେଉଁଭଳି ପରିସ୍ଥିତିରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଗଲା, ଅନ୍ତତଃପକ୍ଷେ ୨୦୨୪ ନିର୍ବାଚନରେ ତାଙ୍କୁ ଟିକଟ ମିଳିବା କଷ୍ଟକର ହେବ ବୋଲି ତାଙ୍କ ବିରୋଧୀ ଆକଳନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/42-7.jpg)