ଚର୍ଚ୍ଚାରେ ନବୀନଙ୍କ ଦିଲ୍ଲୀ ଗସ୍ତ: ସବୁ ପ୍ରସଙ୍ଗ ଝୁଲାଇ ରଖିଲେ, ସେଣ୍ଟ୍ରାଲ ହଲ୍‌ରେ ସବୁ ତୁଙ୍ଗ ନେତାଙ୍କୁ ଭେଟିଲେ

ରାଷ୍ଟ୍ରପତି ନିର୍ବାଚନ କଥା ଚିନ୍ତା କରାଯାଇନାହିଁ, ଭର୍ତ୍ତୃହରି, ପିନାକୀ, ପ୍ରସନ୍ନ, ପ୍ରମିଳାଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନ କଥା ଚିନ୍ତା କରାଯାଇନାହିଁ। ଏବେଠାରୁ ଏ ନେଇ କହିବା ବହୁତ ଜଲ୍‌ଦି ହୋଇଯିବ। ଏ ସଂପର୍କରେ ବିରୋଧୀ କିମ୍ବା ସରକାର କେହି ବି ବିଜେଡି ସହିତ ଯୋଗାଯୋଗ କରିନାହାନ୍ତି। ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାତୀୟ ଗଣମାଧ୍ୟମ ସାମ୍ନାରେ ଏଭଳି ବକ୍ତବ୍ୟ ରଖି ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା ସଂପର୍କରେ ସମସ୍ତଙ୍କ ସସ୍ପେନ୍ସ ବଢ଼ାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ନବୀନ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆହୁରି କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ସହମତି ଆଧାରରେ ପ୍ରାର୍ଥୀ ଚୟନ ସଂପର୍କରେ ବିଜେଡିର ଆଭିମୁଖ୍ୟ କଣ ରହିବ, ତାହା ଏଯାଏ ଚିନ୍ତା କରାଯାଇନାହିଁ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ବିଜେପି ବ‌ିରୋଧୀ ଫ୍ରଣ୍ଟ ଗଠନ କରିବା ସଂକ୍ରାନ୍ତରେ ଲେଖିଥିବା ପତ୍ର ସଂପର୍କରେ ଗଣମାଧ୍ୟମ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ହେଲେ ଏ କ୍ଷେତ୍ରରେ ବି ନବୀନଙ୍କ ଉତ୍ତର ବିସ୍ମିତ କଲାଭଳି ଥିଲା। ଶ୍ରୀ ପଟ୍ଟନାୟକ
କହିଥିଲେ, ଏଯାଏ ସେ ମମତାଙ୍କର ପତ୍ର ପାଇନାହାନ୍ତି। ଆମ ରାଜ୍ୟର ବିକାଶ ଓ କଲ୍ୟାଣକାରୀ କାର୍ଯ୍ୟ ଆମ ଦଳର ମୂଳମନ୍ତ୍ର ବୋଲି ବର୍ଣ୍ଣନା କରି ନବୀନ ପୂରା ଦେଶ ସାମ୍ନାରେ ବିଜେଡିର ଆଭିମୁଖ୍ୟ ଯେ କେବଳ ଓଡ଼ିଶାର ବିକାଶରେ ନିବଦ୍ଧ ଏଭଳି ଏକ ବଡ ସଙ୍କେତ ଦେଇଛନ୍ତି। ଏସବୁ ସତ୍ତ୍ବେ ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂସଦର ସେଣ୍ଟ୍ରାଲ ହଲରେ ପ୍ରାୟ ସବୁ ଦଳର ନେତା ଓ ଉଭୟ କକ୍ଷର ସାଂସଦମାନେ ଭେଟିବା ଘଟଣା ଜାତୀୟ ରାଜନୀତିକୁ ସରଗରମ କରିଛି। ବିଶେଷକରି ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଆନନ୍ଦ ଶର୍ମା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ରବି ଶଙ୍କର ପ୍ରସାଦ, ବିଜେପି ସାଂସଦ ନିରଜ ଶେଖର, ଅକାଳୀ ଦଳ ସାଂସଦ ନରେଶ ଗୁଜରାଲ, ଟିଏମସିର ସାଂସଦ ‌ପ୍ରଫେସର ସୌଗତ ରାୟ, ଆରଜେଡିର ସାଂସଦ ପ୍ରଫେସର ମନୋଜ ଝା, ଏନସିପିର ସାଂସଦ ସୁପ୍ରିୟା ସୁଲେଙ୍କ ସମେତ ବିଜେପି, ୱାଇଆରସିପି, ଟିଡିପି, ସମାଜବାଦି ପାର୍ଟି ଓ ଅନ୍ୟ ଦଳର ଅନେକ ସାଂସଦ ନବୀନଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ। ହଠାତ୍ ନବୀନ ସେଣ୍ଟ୍ରାଲ ହଲ୍‌ ଯାଇ ବିଭିନ୍ନ ଦଳର ନେତାଙ୍କୁ ସାକ୍ଷାତ କରିବା ଘଟଣାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଅତ୍ୟନ୍ତ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ରାଜନୀତିରେ ଦୁଇ ଦଶନ୍ଧି ଧରି ଅତ୍ୟନ୍ତ ଅବୁଝା ପାଠ ପଢାଇ ଆସୁଥିବା ନବୀନ ଜାତୀୟ ରାଜନୀତିରେ ଆଗକୁ କିଛି ବଡ ଖେଳ ଖେଳିବା ବିଚିତ୍ର ନୁହେଁ, ଏହି ମହଲ ମତ ପ୍ରକାଶ କରିଛନ୍ତି। ତେବେ ବିଜେଡିର ରଣନୀତି କଣ ହେବ, ନବୀନ ନିର୍ଦିଷ୍ଟ ଭାବେ କାହିଁକି ସେଣ୍ଟ୍ରାଲ ହଲ୍‌ ଗଲେ, ସେ ସଂପର୍କରେ କେହି କିଛି ଠଉରାଇ ପାରିନାହାନ୍ତି।

ରାଷ୍ଟ୍ରପତି ନିର୍ବାଚନ କଥା ଚିନ୍ତ‌ା କରାଯାଇନାହିଁ
ସେଣ୍ଟ୍ରାଲ ହଲ୍‌ରେ ସବୁ ତୁଙ୍ଗ ନେତାଙ୍କୁ ଭେଟିଲେ
ପୃଥକ ଭେଟିଲେ ଡିଏମ୍‌କେ, ଏଆଇଏଡିଏମ୍‌କେ ନେତା
ବିଜେଡି ସାଂସଦଙ୍କ କାନରେ ମନ୍ତ୍ର ଫୁଙ୍କିଲେ
ଭର୍ତ୍ତୃହରି, ପିନାକୀ, ପ୍ରସନ୍ନ, ପ୍ରମିଳାଙ୍କୁ ନେଇ ଚର୍ଚ୍ଚା
ନମସ୍କାର କଲେ ୩ ଓଡ଼ିଶା ବିଜେପି ସାଂସଦ, ମୋଦୀ, ଶାହଙ୍କୁ ଭେଟିବେନି

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୋମବାର ଠାରୁ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଆଜି ନବୀନ ସଂସଦ ଭବନ ଯାଇ ବିଜେଡି କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହିତ ବେଶ୍ କିଛି ସମୟ ଆଲୋଚନା କରିଥିଲେ। ପରେ ୨୫ ମିନିଟ୍ ସେଣ୍ଟ୍ରାଲ ହଲ୍‌ରେ ବିତାଇ ନିଜର ଏପିଜେ କଲାମ ମାର୍ଗସ୍ଥିତ ବାସଭବନକୁ ଫେରିଯାଇଥିଲେ।
ସଂସଦ ଭବନରେ ଭର୍ତ୍ତୃହରି ମହତାବଙ୍କୁ ଛାଡି ଦଳର ଅନ୍ୟ ସାଂସଦମାନେ ତାଙ୍କୁ ସ୍ବାଗତ କରିଥିଲେ। ପରେ ନବୀନ ଦଳୀୟ କାର୍ଯ୍ୟାଳୟକୁ ଯାଇ ସାଂସଦମାନଙ୍କ ସହିତ ଆଲୋଚନା କରିଥିଲେ। ଓଡ଼ିଶାର ଯେଉଁ ସବୁ ଦାବି ଓ ପ୍ରସ୍ତାବ କେନ୍ଦ୍ର ନିକଟରେ ଦୀର୍ଘ ଦିନରୁ ବିଚାରାଧୀନ ଅବସ୍ଥାରେ ରହିଛି, ସେସବୁକୁ ନିୟମିତ ବ୍ୟବଧାନରେ ଉଠାଇବା ସହିତ ଏହା କିଭଳି ହାସଲ ହେବ ସେ ନେଇ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ନିକଟରେ ବିଚାରାଧୀନ ଥିବା ଦାବି ସମ୍ବଳିତ ଏକ ପୁସ୍ତିକା ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇ କି କି ପ୍ରସଙ୍ଗକୁ ସାଂସଦମାନେ ଗୁରୁତ୍ବ ଦେଉଛନ୍ତି, ତାହା କୁହାଯାଇଥିଲା। ବଳକା ଉଷୁନା ଚାଉଳ ଉଠାଣ, ଆବାସ ଯୋଜନାରେ ଘର ଯୋଗାଣ, କୋଇଲା ରୟାଲଟିରେ ରାଜ୍ୟଭାଗ ବୃଦ୍ଧି, ଜିଏସଟି ବକେୟା ପ୍ରାପ୍ୟ ଆଦି ପ୍ରସଙ୍ଗରେ ସ୍ବରକୁ ଅଧିକ ଶାଣିତ କରିବା ପାଇଁ ସେ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ। ପିନାକୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ନବୀନଙ୍କ ପାଖେ ପାଖେ ରହୁଥିବା ଦେଖିବାକୁ ମିଳିଥିଲା। ଯଦିଓ ଭର୍ତ୍ତୃହରି ନବୀନଙ୍କ ସ୍ବାଗତ ପାଇଁ ଅନ୍ୟ ସାଂସଦ ଭଳି ଗେଟ୍ ବାହାରେ ଅପେକ୍ଷା କରିନଥିଲେ, ନବୀନ କିନ୍ତୁ ଯେତେବେଳେ ସମସ୍ତ ସାଂସଦମାନଙ୍କ ସହିତ ସଂସଦ ଭବନକୁ ପ୍ରବେଶ କଲା ବେଳେ ଲବି ନିକଟରେ ଅପେକ୍ଷା କରିଥିବା ସାଂସଦ ଶ୍ରୀ ମହତାବଙ୍କ ଠାରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପ୍ରଥମେ ବୁଝିଥିଲେ। କେବଳ ସେତିକି ନୁହେଁ, ସେଣ୍ଟ୍ରାଲ ହଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବସି ଭର୍ତ୍ତୃହରି ହିଁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ନେତାମାନଙ୍କ ସହିତ ପରିଚୟ କରାଇଥିଲେ।

ଉଲ୍ଲେଖଥାଉକି, ବିଜେଡି କାର୍ଯ୍ୟାଳୟରେ ତାମିଲନାଡୁର ଦୁଇ ପ୍ରମୁଖ ଆଞ୍ଚଳିକ ଦଳର ଦୁଇ ଜଣ ନେତା ମୁଖ୍ୟମନ୍ତ୍ରୀଙ୍କୁ ଅଲଗା ଅଲଗା ସାକ୍ଷାତ କରିଥିଲେ। ପ୍ରଥମେ ଏଆଇଏଡିମକେର ରାଜ୍ୟସଭା ସାଂସଦ ଏମ.ଥମ୍ବିଦୁରାଇ ଓ ପରେ ଡିଏମକେ ସାଂସଦ ଟି.ଆର.ବାଲୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହିତ ଦିଲ୍ଲୀରେ ଡିଏମକେର ଅଫିସ କୋଠା ଉନ୍ମୋଚନ ଉତ୍ସବରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। କୌତୂହଳର କଥା ହେଲା, ବିଜେଡି ସାଂସଦ ପ୍ରମିଳା ବିଶୋଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇ ତାଙ୍କୁ ଆଶୀର୍ବାଦ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କର ଉନ୍ନତି, ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିବା ସହିତ ଶ୍ରୀଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ ଓ ଓଡ଼ିଶା ପ୍ରଗତି କରୁ ବୋଲି କାମନା କରିଥିଲେ। ସେହିଭଳି ଅନ୍ୟ ଏକ ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ସଂସଦରେ ବିଜେପି ସାଂସଦ ଅପରିଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ ଏବଂ ନିତେଶ ନବୀନଙ୍କୁ ପ୍ରଣାମ କରିଥିଲେ ଓ ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କରିଥିଲେ। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବିଶେଶ୍ବର ଟୁଡୁ ନବୀନଙ୍କୁ ସାକ୍ଷାତ କଲେ କି ନାହିଁ, ତାହା ଜଣାପଡିନାହିଁ। ଫେରିବା ବେଳେ ନବୀନ ଗଣମାଧ୍ୟମକୁ କହିଥିଲେ, ସେ ବିଜେଡି ସାଂସଦମାନଙ୍କୁ ଭେଟିଲେ ଓ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଗୁଡିକୁ ଉପସ୍ଥାପନ କରିବା ସହିତ ଏସବୁର କାର୍ଯ୍ୟାନ୍ବୟନ ସଂପର୍କରେ ଆଲୋଚନା କଲେ। ଗତ ୨୫ ବର୍ଷ ଧରି ଲଗାତାର ବିଜେଡି ରାଜ୍ୟରେ ଉତ୍ତମ ପ୍ରର୍ଦଶନ କରିଆସୁଛି ଓ କେବେ ହେଲେ ପରାଜୟର ସ୍ବାଦ ଚାଖିନାହିଁ ବୋଲି ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ, ଆମେ ଲୋକମାନଙ୍କର ବିକାଶ ପାଇଁ କାର୍ଯ୍ୟ କରୁଛୁ ଏବଂ ରାଜ୍ୟରେ ବିକାଶର କାର୍ଯ୍ୟ ଜାରି ରହିବ। ଏହି ଗସ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ,କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କର ଭେଟିବା କାର୍ଯ୍ୟକ୍ରମ ନାହିଁ ବୋଲି ନବୀନ ସ୍ପଷ୍ଟ କରିଦେଇଥିଲେ।

ସମ୍ବନ୍ଧିତ ଖବର