ଦୈନିକ ୯୦ ଟଙ୍କା ମଜୁରିରେ ପଟିଆଲା ଜେଲ୍‌ରେ କିରାଣି କାମ କରିବେ ନବଜୋତ୍‌ ସିଦ୍ଧୁ

ପଟିଆଲା: ୧୯୮୮ ମସିହା ‘ରୋଡ୍‌ ରେଜ୍‌’ ମାମଲାରେ ଦୋଷୀ ସାବସ୍ତ୍ୟ ହୋଇଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁ ପଟିଆଲା ସେଣ୍ଟ୍ରାଲ୍‌ ଜେ‌ଲ୍‌ରେ କିରାଣି ଭାବେ କାର୍ଯ୍ୟ କରିବେ ବୋଲି ଜେଲ୍‌ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

ଏଥିପାଇଁ ସିଦ୍ଧୁଙ୍କୁ ୩ ମାସ ତାଲିମ ଦିଆଯିବ। ଅଦାଲତର ଦୀର୍ଘ ରାୟଗୁଡ଼ିକୁ କେମିତି ସଂକ୍ଷିପ୍ତ କରିବାକୁ ପଡ଼ିବ ଏବଂ ଜେଲ୍‌ ରେକର୍ଡଗୁଡ଼ିକୁ କିଭଳି ସଜାଡ଼ି ରଖାଯିବ ସେ ବିଷୟରେ ସିଦ୍ଧୁଙ୍କୁ ଶିକ୍ଷା ଦିଆଯିବ।

ଜେଲ୍‌ ‘ମାନୁଆଲ୍‌’ ଅନୁସାରେ, ପ୍ରଥମ ୯୦ ଦିନ ପାଇଁ ସିଦ୍ଧୁଙ୍କୁ କୌଣସି ପ୍ରାପ୍ୟ ମିଳିବ ନାହିଁ। ତାଲିମ ଶେଷ ହେଲେ, ସେ ଦୈନିକ ୪୦ ଟଙ୍କାରୁ ୫୦ ଟଙ୍କା ପାରିଶ୍ରମିକ ପାଇବେ। ତାଙ୍କର ଦକ୍ଷତାକୁ ଆଧାର କରି ମୂଲ୍ୟାୟନ ହେବାକୁ ଥିବା ଏହି ପାରିଶ୍ରମି ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଜମା କରାଯିବ।

Image Courtesy of The Tribune

ଜେଲ୍‌ ଅଧିକାରୀମାନଙ୍କ କହିବା ଅନୁସାରେ, ନିରାପତ୍ତା କାରଣରୁ ସିଦ୍ଧୁ କେବଳ ନିଜ ଜେଲ୍‌ କୋଠରିରେ ଥାଇ ଦୁଇଟି ସିଫ୍ଟ୍‌ରେ କାମ କରିବେ। ପ୍ରଥମ ସିଫ୍ଟ୍‌ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଦ୍ବିତୀୟ ସିଫ୍ଟ୍‌ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ମେଡିକାଲ୍‌ ବୋର୍ଡ ସିଦ୍ଧୁଙ୍କ ‘ଡାଏଟ୍‌ ପ୍ଲାନ୍‌’କୁ (ଭୋଜନ ବ୍ୟବସ୍ଥା) ଅନୁମୋଦନ କରିଛନ୍ତି। ତାଙ୍କୁ ଅଳ୍ପ ତେଲଯୁକ୍ତ ଅଧିକ ତନ୍ତୁଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି। ଜେଲ୍‌ରେ ସକାଳେ ତାଙ୍କୁ ‘ରୋଜ୍‌ମେରି’ ଚା ଏବଂ ଶୋଇବାକୁ ଯିବା ବେଳେ ‘କ୍ୟାମୋମାଇଲ୍‌’ ଚା ଦିଆଯିବ।

ସମ୍ବନ୍ଧିତ ଖବର