ପାକିସ୍ତାନରେ ନିର୍ମାଣ ହେବାକୁ ଥିବା କର୍ତାରପୁର କରିଡରର କାର୍ଯ୍ୟ ଶୁଭାରମ୍ଭ ଉତ୍ସବରେ ଯୋଗ ଦେବେ ନବଜୋତ ସିଂହ ସିଦ୍ଧୁ

ଗୁରୁଦାସପୁର (ପଞ୍ଜାବ): ପାକିସ୍ତାନ ସୀମା ଭିତରେ ନିର୍ମାଣ ହେବାକୁ ଥିବା କର୍ତାରପୁର କରିଡରର କାର୍ଯ୍ୟ ଶୁଭାରମ୍ଭ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଯୋଗ ଦେବା ପାକିିସ୍ତାନ ପକ୍ଷରୁ ଆସିଥିବା ନିନ୍ତ୍ରଣକୁ ସ୍ୱୀକାର କରିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାଙ୍କୁ ଅନୁମତି ପ୍ରଦାନ କରିବା ପାଇଁ ସେ ବୈଦେଶିକ ମନ୍ତ୍ରାଳୟକୁ ଏକ ପତ୍ର ଲେଖିଥିବା ଜାଣିବାକୁ ମିଳିଛି। ଏସଂପର୍କରେ ସିଦ୍ଧୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀଙ୍କ ନିକଟକୁ ଏକ ପତ୍ର ଲେଖି କହିଛନ୍ତି ଯେ ଆପଣଙ୍କ ନିମନ୍ତ୍ରଣକୁ ମୁଁ ସାଦରର ସହ ଗ୍ରହଣ କରିଛି ଏବଂ ଏଥିପାଇଁ ବୈଦେଶିକ ମନ୍ତ୍ରାଳୟର ଅନୁମତି ଲୋଡ଼ିଛି। ଅନୁମତି ମିଳିଲେ ମୁଁ ଏହି ଉତ୍ସବରେ ନିଶ୍ଚିତ ଭାବେ ଯୋଗ ଦେବି।

ଉଲ୍ଲେଖଯୋଗ୍ୟ, ଆସନ୍ତା ବର୍ଷ ଶିଖ୍‌ ଧର୍ମଗୁରୁ ନାନକ୍‌ ଦେବଙ୍କ ୫୫୦ତମ ଜନ୍ମ ଜୟନ୍ତୀ ପାଳିତ ହେବାକୁ ଥିବାବେଳେ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାଇଁ ଭାରତ- ପାକ୍‌ ଆନ୍ତର୍ଜାତିକ ସୀମା ମଧ୍ୟ ଦେଇ କର୍ତାରପୁର କରିଡର ନିର୍ମାଣ ପାଇଁ ଉଭୟ ଦେଶ ନିଷ୍ପତ୍ତି ନେଇଛନ୍ତି। ଶିଖ୍‌ ଧର୍ମଗୁରୁ ନାନକ୍‌ ଦେବ ତାଙ୍କ ଜୀବଦ୍ଦଶାର ଶେଷ କିଛି ବର୍ଷ କର୍ତାରପୁର ଗୁରୁଦ୍ୱାରାରେ ବିତାଇଥିଲେ। କର୍ତାରପୁର ଗୁରୁଦ୍ୱାରା ଶିଖ୍‌ମାନଙ୍କର ଏକ ପ୍ରମୁଖ ତୀର୍ଥସ୍ଥଳ। ପଞ୍ଜାବର ଗୁରୁଦାସପୁର ଠାରୁ ମାତ୍ର ୬ କିଲୋମିଟର ଦୂରରେ ପାକିସ୍ତାନ ସୀମା ମଧ୍ୟରେ ଅବସ୍ଥିତ କର୍ତାରପୁର ଗୁରୁଦ୍ୱାରା। ସେଥିପାଇଁ ପାକିସ୍ତାନ ସୀମା ମଧ୍ୟରେ କର୍ତାରପୁର ଠାରୁ ଆରମ୍ଭ ହେବାକୁ ଥିବା କରିଡର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ୨୮ ତାରଖରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କରିବେ। ଏହି କାର୍ଯ୍ୟକ୍ରମ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ନବଜୋତ ସିଂହ ସିଦ୍ଧୁଙ୍କ ନିକଟକୁ ଏକ ସ୍ୱତନ୍ତ୍ର ନିମନ୍ତ୍ରଣ ପଠାଇଥିଲେ।


ଅନ୍ୟପକ୍ଷରେ, ଭାରତୀୟ ସୀମା ମଧ୍ୟରେ ଥିବା ଡେରା ବାବା ନାନକ ଠାରୁ କର୍ତାରପୁର ପର୍ଯ୍ୟନ୍ତ ଏକ କରିଡର ନିର୍ମାଣ ପାଇଁ ଉଭୟ ଦେଶ ଗତ ୨୨ ତାରିଖରେ ରାଜି ହେବା ପରେ ଭାରତ ସୀମା ମଧ୍ୟରେ ଆସନ୍ତା ୨୬ ତାରିଖ ଦିନ ଗୁରୁଦାସପୁର ଠାରୁ ଆରମ୍ଭ ହେବାକୁ ଥିବା କରିଡର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ।

ସମ୍ବନ୍ଧିତ ଖବର