ଶେଷ ହେଲା ପଞ୍ଜାବ କଂଗ୍ରେସର କନ୍ଦଳ: ଏକାଠି ହେଲେ ସିଦ୍ଧୁ ଓ କ୍ୟାପଟେନ, ଅନ୍ନଦାତାଙ୍କ ସ୍ୱାର୍ଥକୁ ଫୋକସ

ନୂଆଦିଲ୍ଲୀ: ଶେଷ ହେଲା ପଞ୍ଜାବ କଂଗ୍ରେସର କନ୍ଦଳ । ଏକାଠି ବସି ଚା’ ପିଇଲେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ରାଜ୍ୟ କଂଗ୍ରେସର ନବ ନିଯୁକ୍ତ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ଆଜି ନବଜୋତ ସିଂ ସିଦ୍ଧୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଏକ ଚା’ ପାର୍ଟିର ଆୟୋଜନ କରାଯାଇଥିଲା । ନବଜୋତ ସିଂ ସିଦ୍ଧୁ ପଞ୍ଜାବ ଭବନରେ ପହଞ୍ଚିବାର କିଛି ମିନିଟ ପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସେଠାରେ ପହଞ୍ଚିଥିଲେ। ଏହାପରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଗୋଟିଏ ସୋଫାରେ ବସି ଚା’ ପିଇବା ପରେ ଅନୁମାନ କରାଯାଉଛି କି, ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟରେ ପୂର୍ଣ୍ଣଛେଦ ପଡିଛି ।

ଅନ୍ୟପଟେ ଦାୟିତ୍ୱ ଗ୍ରହଣ କରିବା ପରେ ପୁରା ଆକ୍ସନ ମୋଡକୁ ଆସିଛନ୍ତି ସିଦ୍ଧୁ | ପ୍ରଥମେ ଅନ୍ନଦାତାଙ୍କୁ ଫୋକସ କରି ସେ କହିଛନ୍ତି କି, ରାସ୍ତାରେ ବସିଥିବା କୃଷକମାନଙ୍କ ସ୍ୱାର୍ଥକୁ ପ୍ରଥମେ ଗୁରୁତ୍ୱ ଦିଆଯିବ । ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି । ଏହାସହ ବିରୋଧୀଦଳକୁ ଟାର୍ଗେଟ୍ କରି ସିଦ୍ଧୁ କହିଛନ୍ତି କି, ସେ ଲଢେଇ କରିବା ପାଇଁ ଜନ୍ମ ହୋଇଛନ୍ତି । ସେ କ୍ରିକେଟ ମଇଦାନ ହେଉ କି ରାଜନୀତି ହକ୍ ପାଇଁ ସବୁଠି ଲଢିବାକୁ ସେ ପ୍ରସ୍ତୁତ ବୋଲି କହିବା ସହ ଏବେ ବିରୋଧୀ ପେଡି ପୁଟୁଳା ବାନ୍ଧିବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ଚେତାବନୀ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ଯେ, ଦଳ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସେ ଗ୍ରହଣ କରୁଛନ୍ତି ଓ ଆଗାମୀ ଦିନରେ ସିଦ୍ଧୁଙ୍କ ସହ ମିଶି କାମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧିତ ଖବର