ପାକିସ୍ତାନ ପାଇଲଟ ଅଭିନନ୍ଦନଙ୍କୁ ଛାଡିବ ବୋଲି ନିଷ୍ପତି ନେବା ପରେ ନବଜୋତ ସିଦ୍ଧୁ ଇମରାନ୍‌ଙ୍କୁ ପ୍ରଶଂସା କରି କହିଲେ ଏଭଳି କଥା

ନୂଆଦିଲ୍ଲୀ : ଭାରତ ଓ ବିଶ୍ୱ ଜନମତ ଚାପରେ ପଡି ପାକିସ୍ତାନ ଶେଷରେ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତମାନଙ୍କୁ ଛାଡିବା ପାଇଁ ନିଷ୍ପତ୍ତି ନେଇଛି । ଆସନ୍ତା କାଲି ବର୍ତମାନ ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି। ବର୍ତମାନଙ୍କୁ ଛାଡ଼ିବା ନିଷ୍ପତ୍ତିକୁ ନେଇ ନବଜୋତ ସିଂ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କୁ ପ୍ରଶଂସା କରି କହିଛନ୍ତି, ଶାନ୍ତି ପାଇଁ ଇମରାନ୍‌ ଉଠାଇ ଥିବା ଏହି ପଦକ୍ଷେପ ସତରେ ପ୍ରଶଂସାରଯୋଗ୍ୟ। ଏଥିସହ ଇମରାନ୍‌ଙ୍କୁ ‘ଶାନ୍ତିର ମସିହା’ ବୋଲି ଦର୍ଶାଇଛନ୍ତି ସିଦ୍ଧୁ। ସିଦ୍ଧୁଙ୍କ ଏହି ବକ୍ତବ୍ୟ ଦେଶରେ ପୁଣିଥରେ ବିବାଦ ସୃଷ୍ଟି କରିଛି।

ନବଜୋତ ସିଂ ସିଦ୍ଧୁ ଟୁଇଟ କରି କହିଛନ୍ତି, ପ୍ରତ୍ୟେକଟି ଭଲ କାମ ନିଜ ପାଇଁ ରାସ୍ତା ନିଜେ ବନାଇ ଥାଏ। ଆପଣଙ୍କ ଏହି ଗୋଟିଏ ଭଲ ନିଷ୍ପତ୍ତି ହେତୁ କୋଟିକୋଟି ଲୋକେ ଖୁସି ହୋଇଛନ୍ତି। ଏହି ନିଷ୍ପତ୍ତିକୁ ନେଇ ଦେଶ ତଥା ଅଭିନନ୍ଦନ ବର୍ତମାନଙ୍କ ଘରେ ଖୁସି ଲହରି ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଗୁରୁବାର ଘୋଷଣା କରିଛନ୍ତି କି, ଭାରତୀୟ ବାୟୁସେନାର ଧରାପଡ଼ିଥିବା ପାଇଲଟ ଅଭିନନ୍ଦନ ବର୍ତମାନଙ୍କୁ ‘ଶାନ୍ତି ପ୍ରତିଷ୍ଠା’ ଆଧାରରେ ଶୁକ୍ରବାର ଭାରତ ଛାଡ଼ି ଦିଆଯିବ।

ସମ୍ବନ୍ଧିତ ଖବର