ଚଣ୍ଡୀଗଡ଼: ମଙ୍ଗଳବାର ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି) ର ସଭାପତି ପଦରୁ ହଠାତ୍ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ଆଜି ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଟ୍ବିଟ କରିଥିବା ଭିଡିଓରେ ସେ ସତ୍ୟ ପାଇଁ ଲଢ଼େଇ ଜାରି ରଖିବି ବୋଲି କହିଛନ୍ତି।
ଭିଡିଓରେ ସେ କହିଛନ୍ତି ଯେ, ମୁଁ ପଞ୍ଜାବର କଲ୍ୟାଣ ପାଇଁ ଲଢ଼ୁଛି। ମୁଁ ଏହା ଉପରେ କଦାପି ଆପୋଷ ବୁଝାମଣା କରି ନାହିଁ। ମୁଁ ବ୍ୟକ୍ତିଗତ ଏଜେଣ୍ଡା ପାଇଁ କଦାପି ଯୁଦ୍ଧ କରେ ନାହିଁ। ମୁଁ ହାଇକମାଣ୍ଡକୁ ଭୁଲ୍ ମାର୍ଗଦର୍ଶନ କରିପାରିବି ନାହିଁ। ମୁଁ କୌଣସି ବଳିଦାନ ପାଇଁ ପ୍ରସ୍ତୁତ। ପଞ୍ଜାବ ସରକାରରେ ନୂତନ ନିଯୁକ୍ତି ସମ୍ପର୍କରେ ସିଦ୍ଧୁ କହିଛନ୍ତି ଯେ, କଳଙ୍କିତ ନେତା ତଥା କଳଙ୍କିତ ଅମଲାତନ୍ତ୍ରଙ୍କ ସହ ଆମେ ଏକ ନୂତନ ବ୍ୟବସ୍ଥା ଚଳାଇ ପାରିବୁ ନାହିଁ।
हक़-सच की लड़ाई आखिरी दम तक लड़ता रहूंगा … pic.twitter.com/LWnBF8JQxu
— Navjot Singh Sidhu (@sherryontopp) September 29, 2021
ଏଭଳି କହି ସିଦ୍ଧୁ ବର୍ତ୍ତମାନ ପଞ୍ଜାବରେ ନୂତନ ଆଡଭୋକେଟ୍ ଜେନେରାଲଙ୍କ ନିଯୁକ୍ତିକୁ ଟାର୍ଗେଟ କରିଛନ୍ତି, ଯିଏକି ପୂର୍ବତନ ଡିଜିପି ସୁମେଦ ସାଇନିଙ୍କ ପରାମର୍ଶଦାତା ଥିଲେ। ଏହା ସହ ସେ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲା।
ଉଲ୍ଲେଖଯୋଗ୍ୟ, ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ଲେଖିଥିବା ଚିଠି ସିଦ୍ଧୁ ଟ୍ବିଟରରେ ପୋଷ୍ଟ୍ କରିଥିଲେ। ସେ ଉକ୍ତ ଚିଠିରେ ଲେଖିଥିଲେ ଯେ,– ‘ଜଣେ ବ୍ୟକ୍ତିର ଚରିତ୍ରର ପତନ ସାଲିସ କରିବାରୁ ହିଁ ଆରମ୍ଭ ହୋଇଥାଏ। ପଞ୍ଜାବର ଭବିଷ୍ୟତ ଦିଗରେ ଏବଂ ଲୋକଙ୍କର କଲ୍ୟାଣ ପ୍ରସଙ୍ଗରେ ମୁଁ ସାଲିସ କରିପାରିବି ନାହଁ। ତେଣୁ ମୁଁ ପିସିସି ସଭାପତି ପଦରୁ ଇସ୍ତଫା ଦେଉଛି। କିନ୍ତୁ କଂଗ୍ରେସ ଦଳରେ ସେବା ଜାରି ରଖିବି।’