ନୂଆଦିଲ୍ଳୀ: ଦଶ ମାସ ଜେଲରେ ରହିବା ପରେ ଆଜି ପଞ୍ଜାବର ପଟିଆଲା ଜେଲ୍ରୁ ମୁକୁଳିଛନ୍ତି ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ନୀଳ କୁର୍ତ୍ତା ଏବଂ ପଗଡି ପିନ୍ଧି ସିଦ୍ଧୁ ହାତରେ ଏକ ବହି ଧରି ଜେଲରୁ ବାହାରକୁ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିିଛି।
ଏହି ୫୯ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କୁ ଜେଲ୍ରୁ ମୁକୁଳିବା ପରେ ସ୍ୱାଗତ କରିବା ପାଇଁ ପଟିଆଲା ଜେଲ ବାହାରେ ଅନେକ କଂଗ୍ରେସ ନେତା ଓ ସମର୍ଥକ ଏକତ୍ରିତ ହୋଇଥିଲେ। ସେମାନଙ୍କୁ ଢୋଲ୍ ବଜାଇ ‘ନବଜୋତ ସିଦ୍ଧୁ ଜିନ୍ଦାବାଦ’ ନାରା ଦେଉଥିବାର ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ସିଦ୍ଧୁଙ୍କ ସମର୍ଥକମାନେ ପଟିଆଲା ସହରର ଅନେକ ସ୍ଥାନରେ ନବଜୋତ ସିଦ୍ଧୁଙ୍କର ଅନେକ ପୋଷ୍ଟର ଏବଂ ହୋର୍ଡିଂ ଲଗାଇ ତାଙ୍କର ସ୍ବାଗତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୮୮ ମସିହାର ଏକ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଜେଲ୍ଦଣ୍ଡ ହୋଇଥିଲା। ଗତ ବର୍ଷ ମେ ମାସରେ ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ୩୪ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ।
#WATCH | Congress leader Navjot Singh Sidhu released from Patiala jail, approximately 10 months after he was sentenced to one-year jail by Supreme Court in a three decades old road rage case pic.twitter.com/kzVB2vMnpk
— ANI (@ANI) April 1, 2023
୧୯୮୮ ଡିସେମ୍ବର ୨୭ ତାରିଖରେ ପଟିଆଲା ବାସିନ୍ଦା ଗୁରନାମ ସିଂହଙ୍କ ସହ ପାର୍କିଂକୁ ନେଇ ସିଦ୍ଧୁଙ୍କ ବିବାଦ ହୋଇଥିଲା। ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ସାନ୍ଧୁ ଗୁରନାମ ସିଂଙ୍କୁ ତାଙ୍କ କାରରୁ ଟାଣି ଆଣି ତାଙ୍କୁ ଧକ୍କା ଦେଇଥିଲେ, ଫଳରେ ତାଙ୍କ ଶରୀରରେ ଆଘାତ ଲାଗିଥିଲା । ପରେ ହସ୍ପିଟାଲରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ ଗୁରନାମ ସିଂହଙ୍କ ମୁଣ୍ଡରେ ମାଡ଼ ମାରି ହତ୍ୟା କରାଯାଇଥିବା ପ୍ରକାଶ କରିଥିଲେ ।
ଏହା ପୂର୍ବରୁ ୨୦୧୮ ମସିହାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଥିଲେ । କିନ୍ତୁ ମାମଲାର ପୁନର୍ବିଚାର ପାଇଁ ପୀଡ଼ିତ ବ୍ୟକ୍ତିର ପରିବାର ନିବେଦନ କରିଥିଲେ ।