୬ ମାସରେ ଦାବି ମାନ, ନଚେତ୍‌ ଗାଦି ଛାଡ଼

କେନ୍ଦ୍ର ସରକାରକୁ ନବନିର୍ମାଣ କୃଷକ ସଂଗଠନର ଚେତାବନୀ

ନୂଆଦିଲ୍ଲୀ : ଚାଷୀର ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିକୁ ୬ ମାସରେ କାର୍ଯ୍ୟକାରୀ କର, ନଚେତ୍‌ ଗାଦି ଛାଡ଼। ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଏଭଳି କଡ଼ାଭାଷାରେ କେନ୍ଦ୍ର ସରକାରକୁ ଚେତାବନୀ ଦିଆଯାଇଛି। ଆଜି ଦିଲ୍ଲୀର ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ମୁଖ୍ୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଦୀର୍ଘ ୭ ବର୍ଷ ହେଲା ଚାଷୀମାନେ ରାଜ୍ୟସ୍ତରରେ ଆାନ୍ଦୋଳନ କରିଆସୁଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ରାଜ୍ୟ ବିଧାନସଭାରେ ସର୍ବଦଳୀୟ ସହମତିରେ ଧାନର ସର୍ବନିମ୍ନ ଦର କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର କୌଣସି ପ୍ରକାର ଆନ୍ତରିକତା ପ୍ରକାଶ କରୁନାହାନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବ ବୋଲି ଅକ୍ଷୟ କୁମାର କହିଛନ୍ତି।

ସେ କହିଲେ ଯେ ଦିଲ୍ଲୀର ଜନ୍ତରମନ୍ତରରେ ନବନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମଦିନ(ଅକ୍ଟୋବର ୧୧)ରେ ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ ଓଡ଼ିଶାର ୫ ହଜାରରୁ ଊର୍ଧ୍ୱ ଚାଷୀ ଓ ପ୍ରତିନିଧିମାନଙ୍କୁ ମିଶାଇ ୨୨ଟି ରାଜ୍ୟର ୧୦ ହଜାରରୁ ଅଧିକ ବ୍ୟକ୍ତିବିଶେଷ ସାମିଲ ହେବେ। ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କର ୩ଟି ଦାବିକୁ ସମାଧାନ ଲାଗି ସ୍ମାରପତ୍ର ଦିଆଯିବ। ମୋଦି ସରକାର ଯଦି ଚାଷୀମାନଙ୍କ ଦାବିକୁ ୬ ମାସ ଭିତରେ ଅର୍ଥାତ୍‌ ଆସନ୍ତା ବଜେଟ ଉପସ୍ଥାପନ ପୂର୍ବରୁ ସମାଧାନ ନକରନ୍ତି ତାହେଲେ କେନ୍ଦ୍ର ସରକାରଙ୍କ ବିରୋଧରେ ଅସହଯୋଗ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।

ଅକ୍ଟୋବର ୧୧ରେ ସଂଗଠନର ପ୍ରଥମ ଜାତୀୟ ସମ୍ମିଳନୀକୁ ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେ ଉଦ୍‌ଘାଟନ କରିବେ। ଅନ୍ୟମାନଙ୍କ ମଧ୍ୟରେ ଜଳପୁରୁଷ ରାଜେନ୍ଦ୍ର ସିଂହ, ମାଗାସେସ୍‌ ପୁରସ୍କାର ବିଜେତା ସନ୍ଦୀପ ପାଣ୍ଡେ, ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ସାମ୍ବାଦିକ ରବି ଦାସ, ବହୁ କୃଷକ ନେତା, ସମାଜସେବୀ ଓ ବୁଦ୍ଧିଜୀବୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ହିମାଂଶୁ ତିଓ୍ଵାରୀ, ପ୍ରତାପ ସିଂହ, ପୁତୁଲ, ପ୍ରତାପ ଚୌଧୁରୀ, କୁବରାମୀ ମିଶ୍ର ଗୌରୀ ଓ ରାଜେଶ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର