୧୭ଦେଶର ନୌସେନା ସମରାଭ୍ୟାସ ‘ମିଲନ’ ଆରମ୍ଭ

ଭାରତ ମହାସାଗରରେ ଚୀନ୍‌କୁ ଟକ୍କର

ନୂଆଦିଲ୍ଲୀ: ଭାରତ ମହାସାଗରରେ ନିଜର ଆଧିପତ୍ୟା ବିସ୍ତାର କରିଆସୁଥିବା ଚୀନ୍‌କୁ ଟକ୍କର ଦେବା ପାଇଁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ନିକଟରେ ଭାରତ ସମେତ ୧୭ଟି ଦେଶର ୮ ଦିନିଆ ବିଶାଳ ନୌସେନା ସମରାଭ୍ୟାସ ‘ମିଲନ’ ଆରମ୍ଭ ହୋଇଛି। ୧୯୯୫ ମସିହାରୁ ପ୍ରଥମେ ଆରମ୍ଭ ହୋଇଥିବା ଏହି ମିଳିତ ସମରାଭ୍ୟାସର ଏହାର ଦଶମ ସଂସ୍କରଣ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ ବରଂ ଏହି ଆନ୍ତର୍ଜାତିକ ସମରାଭ୍ୟାସରେ ୧୬ଟି ଦେଶର ୩୯ଜଣ ପ୍ରତିନିଧି ମଧ୍ୟ ଯୋଗ ଦେଇଛନ୍ତି। ଏହି ସମରାଭ୍ୟାସରେ ଭାଗ ନେଇଥିବା ମୋଟ ୨୭ଟି ଯୁଦ୍ଧ ଜାହାଜ ମଧ୍ୟରୁ ୧୭ଟି ଜାହାଜ କେବଳ ମାଲେସିଆ, ଅଷ୍ଟ୍ରେଲିଆ, ମ୍ୟାଁମାର, ଇଣ୍ଡୋନେସିଆ,ସିଙ୍ଗାପୁର,ଶ୍ରୀଲଙ୍କା ଓ ଥାଇଲାଣ୍ଡର ବୋଲି ଜଣେ ଭାରତୀୟ ନୌସେନା ଅଧିକାରୀ କହିଛନ୍ତି। ପରସ୍ପର ମଧ୍ୟରେ ସହଯୋଗ, ଆଂଚଳିକ ସ୍ଥିରତା ସାଙ୍ଗକୁ ଭାରତ ମହାସାଗରରେ ଅବୈଧ କାରବାରକୁ ରୋକିବା ହେଉଛି ଏହି ସମରାଭ୍ୟାସର ମୂୂଳ ଉଦ୍ଦେଶ୍ୟ। ଉଲ୍ଲେଖଯୋଗ୍ୟ ଗତ ମାସରେ ଭାରତ ମହାସାଗରରେ ଚୀନ୍‌ ଏକାବେଳକେ ୧୧ଟି ଯୁଦ୍ଧ ଜାହାଜ ଜଳାବତରଣ କରାଇଥିଲା। ଯେଉଁଥିରୁ ଗୋଟିଏ ଜାହାଜରୁ ବିମାନ ଓ ହେଲିକପ୍ଟର ଉଡ଼ାଣ ଓ ଅବତରଣ କରିପାରିବ। ଏବେ ଭାରତ ନେତୃତ୍ୱରେ ୧୭ଟି ଦେଶର ଏହି ସମରାଭ୍ୟାସ ଚୀନ୍‌ର ଚିନ୍ତା ବଢ଼ାଇ ଦେଇଛି। ଭାରତ ପଡୋଶୀ ଦେଶ ଶ୍ରୀଲଙ୍କାର ହବନତୋଟା ବନ୍ଦରକୁ ନିଜ ଅକ୍ତିଆରକକୁ ନେବା ପରେ ଚୀନ୍‌ ଏବେ ମ୍ୟାଁମାରରେ କାକ୍‌ପ୍ୟୁ ବନ୍ଦର ନିର୍ମାଣ କରୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର