ଅପହରଣକାରୀମାନେ ନିଆଁ ଲଗାଇଦେବାରୁ ନୌସେନା ନାବିକ ନିହତ

ମୁମ୍ବାଇ: ପୋଡ଼ିଯାଇଥିବା ନୌସେନାର ଜଣେ ନାବିକ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥାଇ ଶୁକ୍ରବାର ସକାଳେ ମୃତ୍ୟୁ ବରଣ କରିଛନ୍ତି। ଅପହରଣ ଉଦ୍ୟମ ବ୍ୟର୍ଥ ହେବା ପରେ ପାଲଘର ଜିଲ୍ଲା ସଂଲଗ୍ନ ଏକ ଜଙ୍ଗଲରେ ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା ବୋଲି କୁହାଯାଉଛି।

ଏହି ଅମାନବୀୟ କାଣ୍ଡରେ ଆହତ ହୋଇ ପ୍ରାଣ ହରାଇଥିବା ନୌସେନାର ଯବାନଜଣକ ହେଉଛନ୍ତି ୨୬ ବର୍ଷିୟ ସୂରଜ କୁମାର ଦୁବେ। ତାଙ୍କୁ ଅପହରଣ କରି ମୁଣ୍ଡଜାମିନ ରଖି ଅପହର୍ତ୍ତାମାନେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ, ଦାବି ଅର୍ଥ ପାଇବାର ଆଶା ନ ଦେଖି ସେମାନେ ସୂରଜଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।

ଏକ ବିବୃତିରେ ନୌସେନା କହିଛି, ୟୁନିଟ୍‌ରୁ ଛୁଟିରେ ଥିବା ‘ଆଇଏନ୍‌ଏସ୍‌ ଅଗ୍ରଣୀ’ର ୨୬ ବର୍ଷିୟ ନୌସେନା ନାବିକ ଏଲ୍‌/ଏସ୍‌ ସୂରଜ କୁମାର ଦୁବେଙ୍କୁ ଫେବ୍ରୁଆରି ୫ ତାରିଖ ସକାଳେ ମହାରାଷ୍ଟ୍ରର ପାଲଘରରେ ୯୦% ପୋଡ଼ିଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ‘ଆଇଏନ୍‌ଏଚ୍‌ଏସ୍‌ ଅଶ୍ୱିନୀ’କୁ ଅଣାଯାଇ ‘ମୃତାବସ୍ଥାରେ ପହଞ୍ଚିଥିବା’ ଘୋଷଣା କରାଯାଇଥିଲା।

ମାମଲା ରୁଜୁ କରି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Image Courtesy of Times of India

ତାମିଲନାଡୁର କୋଇମ୍ବାଟୁର୍‌ରେ ଥିବା ‘ଆଇଏନ୍‌ଏସ୍‌ ଅଗ୍ରଣୀ’ ତାଲିମ ପ୍ରତିଷ୍ଠାନରେ ଶ୍ରୀ ଦୁବେଙ୍କୁ ନିଯୁକ୍ତ କରାଯାଇଥିଲା। ଜାନୁଆରି ୩୦ ତାରିଖ ଦିନ ତାଙ୍କୁ ଚେନ୍ନାଇ ବିମାନ ବନ୍ଦର ବାହାରୁ ଅପହରଣ କରି ନିଆଯାଇଥିଲା। ଛୁଟିରେ ଥିବା ଶ୍ରୀ ଦୁବେ ଝାଡ଼ଖଣ୍ଡର ରାଞ୍ଚିରେ ଥିବା ତାଙ୍କ ପରିବାର ଲୋକମାନଙ୍କୁ ଭେଟି ଫେରୁଥିଲେ। ସେ ଆସିଥିବା ବିମାନଟି ସକାଳ ୯ଟାରେ ଚେନ୍ନାଇରେ ଅବତରଣ କରିଥିଲା।

ପୁଲିସ କହିବା ଅନୁସାରେ, ଶ୍ରୀ ଦୁବେ ବିମାନ ବନ୍ଦରରୁ ବାହାରି ଆସିବା ପରେ ତିନିଜଣ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକଟିଏ ଧରିଥିଲେ। ବଳପୂର୍ବକ ସେମାନେ ଦୁବେଙ୍କୁ ଏକ ଧଳା ‘ଏସ୍‌ୟୁଭି’ରେ ବସାଇ ନେଇଯାଇଥିଲେ।

ତାଙ୍କ ମୋବାଇଲ୍‌ ଛଡ଼ାଇ ନେଇ ଅପହର୍ତ୍ତାମାନେ ତାଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ।

ଚେନ୍ନାଇରେ ୩ ଦିନ ରଖିବା ପରେ ଅପହର୍ତ୍ତାମାନେ ଶ୍ରୀ ଦୁବେଙ୍କୁ ୧୫୦୦ କିଲୋମିଟର ଦୂର ପାଲଘରର ଘୋଲଓ୍ଵାଡ଼ ଅଞ୍ଚଳରେ ଥିବା ଜଙ୍ଗଲକୁ ନିଆଯାଇଥିଲା। ସେଠାରେ ତାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦିଆଯାଇଥିଲା।

ଗ୍ରାମବାସୀମାନେ ତାଙ୍କୁ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା କିନ୍ତୁ, ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ମୁମ୍ବାଇସ୍ଥିତ ଅଶ୍ୱିନୀ ନେଭାଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର