ନୌସେନା ପାଇଁ କିଣାଯିବ ୨୬ଟି ଲଢୁଆ ବିମାନ, ପ୍ରତିଯୋଗିତାରେ ରାଫେଲ ଓ ସୁପର ହର୍ନେଟ୍

ନୂଆଦିଲ୍ଲୀ : ଭାରତୀୟ ନୌସେନା ପାଇଁ ୨୬ଟି ଲଢୁଆ ବିମାନ କିଣାଯିବାକୁ ଯୋଜନା କରାଯାଉଛି । ନୌସେନାର ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର)ରେ ଏସବୁ ଯୁଦ୍ଧବିମାନକୁ ମୁତୟନ କରାଯିବ ।

ଏହି ବିମାନ କ୍ରୟ ଦୌଡ଼ରେ ଶେଷ ପର୍ଯ୍ୟାୟରେ ରହିଛନ୍ତି ଫ୍ରାନ୍ସର ରାଫେଲ ଓ ଆମେରିକାର ଏଫ/ଏ ୧୮ ସୁପର ହର୍ନେଟ୍ । ଏହି ଦୁଇ ପ୍ରକାରର ବିମାନ ମଧ୍ୟରୁ ଗୋଟିକୁ ବଛାଯିବ । ଗତ କିଛି ମାସ ହେଲା ଗୋଆ ଉପକୂଳରେ ଥିବା ଆଇଏନଏସ ହଂସରୁ ଏସବୁ ବିମାନର ପରୀକ୍ଷାମୂଳକ ଉଡ଼ାଣ କରାଯାଇଥିଲା । ଏହି ପରୀକ୍ଷାମୂଳକ ଉଡ଼ାଣ ରିପୋର୍ଟ ଆସିବା ପରେ ସେଗୁଡ଼ିକ ମଧ୍ୟରୁ କେଉଁ ବିମାନକୁ କିଣାଯିବ ଓ କେତୋଟି କିଣାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସରକାରୀ ସ୍ତରୀୟ ରାଜିନାମା ମାଧ୍ୟମରେ ଏସବୁ ବିମାନ କିଣାଯିବ ।

ପୂର୍ବରୁ ନୌସେନା ପାଇଁ ୫୭ଟି ଲଢୁଆ ବିମାନ କିଣିବାକୁ ଯୋଜନା କରାଯାଉଥିଲା । କିନ୍ତୁ ଏବେ ଏହି ସଂଖ୍ୟାକୁ ଆପାତତଃ ୨୬କୁ କମାଇଦିଆଯାଇଛି । ଅବଶିଷ୍ଟ ବିମାନସଂଖ୍ୟାକୁ ଭାରତରେ ନିର୍ମିତ ବିମାନ ମାଧ୍ୟମରେ ଭରଣା କରାଯିବ ।

ନୌସେନାର ଭାଇସ ଆଡମିରାଲ ସତୀଶ ନାମଦେଓ କହିଛନ୍ତି ଯେ ନୌସେନା ପାଇଁ ଟ୍ବିନ ଇଂଜିନ ବିମାନର ଆବଶ୍ୟକତା ରହିଛି । ଏପରି ବିମାନ ଡିଆରଡିଓ ନିର୍ମାଣ କରୁଛି । କିନ୍ତୁ ସେଗୁଡ଼ିକ ଆସିବାରେ ବିଳମ୍ବ ହେଉଥିବାରୁ ବିଦେଶରୁ କିଛି ବିମାନ କିଣାଯିବ ।

 

ସମ୍ବନ୍ଧିତ ଖବର