ନୂଆଦିଲ୍ଲୀ: ସ୍ଥଳ ସେନା, ବାୟୁ ସେନା ପରେ ଏବେ ବଢିବ ନୌସେନାର ଶକ୍ତି । ଭାରତ ପ୍ରତିବର୍ଷ ତାର ପ୍ରତିରକ୍ଷା କ୍ଷମତାକୁ ବଢାଇ ଚାଲିଛି । ସ୍ଥଳ ସେନା, ବାୟୁସେନାରେ ନୂଆ ନୂଆ ଯୁଦ୍ଧାସ୍ତ୍ର ସାମିଲ କରୁଥିବା ବେଳେ, ପଛରେ ପଡିନି ନୌସେନା । ନୌସେନାରେ ସାମିଲ ହେବାକୁ ଯାଉଛି ଅତ୍ୟାଧୁନିକ ଓ ଶକ୍ତିଶାଳି ଯୁଦ୍ଧପୋତ ‘ତମାଲ’ । 

Advertisment

ଋଷ ନିର୍ମିତ ଏହି ଯୁଦ୍ଧପୋତ ଶତ୍ରୁ ପାଇଁ କାଳ ସାଜିବ । ଘାତକ ବ୍ରହ୍ମୋସ ଆଣ୍ଟି-ରିପ୍ ମିସାଇଲ୍ ଲଞ୍ଚ କରିବାର କ୍ଷମତା ଏହି ଯୁଦ୍ଧପୋତ ପାଖରେ ରହିଛି । ତେବେ ୨୦୨୫ ଶେଷ ସୁଦ୍ଧା ଚାରୋଟି ଯୁଦ୍ଧପୋତ ଭାରତୀୟ ନୌସେନାରେ ସାମିଲ ହେବାର ଯୋଜନା ରହିଛି । ଚୁକ୍ତି ଅନୁସାରେ, ଦୁଇଟି ଯୁଦ୍ଧପୋତ ଋଷରେ ତିଆରି ହେବାକୁ ଥିବା ବେଳେ ଆଉ ଦୁଇଟି ଯୁଦ୍ଧପୋତ ଭାରତରେ ତିଆରି ହେବ । 

ଏକ ଧାରୁଆ ଅସ୍ତ୍ର ଭଳି ତମାଲକୁ ପ୍ରସ୍ତୁତ କରାଯାଇଛି । ସଠିକ୍ ଆକ୍ରାମଣ କ୍ଷମତା ଓ ତୀବ୍ର ଗତି ଏହି ଯୁଦ୍ଧପୋତକୁ ଅନ୍ୟ ଯୁଦ୍ଧପୋତଠାରୁ ଭିନ୍ନ ପରିଚୟ ଦେଇଛି । ତମାଲ ଘଣ୍ଟାପ୍ରତି ୫୫କି.ମି ବେଗରେ ଗତି କରିପାରିବ । ଗୋଟିଏ ସମୟରେ କୌଣସି ମିସନରେ ବାହାରି ଏହା ୩ହଜାର କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଶତ୍ରୁର ପିଛା କରି କରି ବିନାଶ କରିପାରିବ ଏହି ଯୁଦ୍ଧ ପୋତ । ସବୁଠୁ ବଡ କଥା ହେଉଛି ସୁପର ସୋନିକ୍ ବ୍ରହ୍ମୋସ ମିଜାଇଲ ନିକ୍ଷେପ କରାଯିବାର କ୍ଷମତା ଏହି ଯୁଦ୍ଧପୋତ ପାଖରେ ରହିଛି । 

ପାଣି ତଳେ ବିପଦର ମୁକାବିଲା ପାଇଁ ତମାଲରେ ଅତ୍ୟାଧୁନିକ ଆଣ୍ଟି-ସବମରିନ୍ ରକେଟ୍ ଓ ଟରପେଡୋ ସିଷ୍ଟମ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶତ୍ରୁ ରାଡାରରୁ ବଞ୍ଚିବା ପାଇଁ ଏଥିରେ ଉନ୍ନତମାନର ଟେକନୋଲୋଜିକୁ ବ୍ୟବହାର କରାଯାଇଛି । ଶତ୍ରୁ ରାଡାରରେ ନଆସି ଶତ୍ରୁ ଉପରେ ଭରପୁର ଆକ୍ରମଣ କରିପାରିବ ଏହି ଯୁଦ୍ଧପୋତ । ଏହି ଯୁଦ୍ଧପୋତରେ ସ୍ଥିତି ନିରୀକ୍ଷଣ ଓ ଯୁଦ୍ଧ ମିଶନ ପାଇଁ ଲଢୁଆ ହେଲିକପ୍ଟର ମୁତୟନ ହୋଇ ରହିବ । ସ୍ଥିତିକୁ ନିରିକ୍ଷଣ କରିବା ସହ ଆବଶ୍ୟକ ପଡିଲେ ଶତ୍ରୁ ଉପରେ ଆକ୍ରମଣ ବି କରିପାରିବ ଏହି ହେଲିକପ୍ଟର । ତାମାଲ ଶୀଘ୍ର ନୌସେନାରେ ସାମିଲ ହେଲେ ଭାରତୀୟ ନୌସେନାର କ୍ଷମତା ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନୌସେନାର ରଣନୀତି ବୃଦ୍ଧି ପାଇବ ।