ଆର୍ୟନ ଖାନ୍‌ ମାମଲାରେ ନୂଆ ଅଭିଯୋଗ ଆଣିଲେ ନୱାବ: ଅପହରଣ ଓ ବଟି ଆଦାୟ ଷଡ଼୍‌ଯନ୍ତ୍ର ହୋଇଥିଲା

ସାହସ ଅଛି ତ ନାର୍କୋ ଟେଷ୍ଟ୍‌ ପାଇଁ ଦାବି କରନ୍ତୁ ନୱାବ: ବିଜେପି

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ କ୍ରୁଜ୍ ମାମଲା ଆଜି ଆଉ ଏକ ମୋଡ଼ ନେଇଛି। ଲଗାତାର ଭାବେ ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଆକ୍ରମଣ କରି ଆସୁଥିବା ଏନସିପି ନେତା ତଥା ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ନୱାବ ମଲିକ ଆଉ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ନେଇ ଚାଲିଥିବା ଡ୍ରଗ୍ସ ମାମଲା ହେଉଛି ଏକ ଦାଦା ବଟି ଏବଂ ଅପହରଣ ବିଷୟ। ବିଜେପି ନେତା ମୋହିତ କାମ୍ବୋଜ୍ ଏହାର ମାଷ୍ଟରମାଇଣ୍ଡ ବୋଲି ସେ କହିଛନ୍ତି। କ୍ରୁଜ୍ ପାର୍ଟି ପାଇଁ ଆର୍ୟନ ଖାନ୍ ଟିକେଟ କିଣି ନଥିଲେ। ପ୍ରତୀକ ଗାବା ଓ ଅମୀର ଫର୍ଣ୍ଣିଚରୱାଲା ତାଙ୍କୁ ପାର୍ଟିକୁ ନେଇଥିଲେ। ବଟି ଆଦାୟ ପାଇଁ ସମୀର ୱାଙ୍ଖଡେଙ୍କ ସହିତ ମୋହିତ କମ୍ବୋଜ ସାମିଲ ଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ମଲିକ କହିଛନ୍ତି।

ଫ୍ୟାସନ ଟିଭି ମୁଖ୍ୟ କାଶିଫ ଖାନଙ୍କ ବିରୋଧରେ ଏନସିପି ନେତା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସେ ସମୀର ୱା‌ଙ୍ଖଡେଙ୍କର ସହଯୋଗୀ। କ୍ରୁଜ୍‌ରେ ପାର୍ଟି ସମୟରେ ସେ ମଧ୍ୟ ଉପସ୍ଥିତ ଥିଲେ। ଫ୍ୟାସନ ଟିଭିର ବ୍ରାଣ୍ଡ୍ ଭାବେ ପରିଚିତ ଗୋଟିଏ ପେପର ରୋଲ୍ ସେଠାରୁ ଜବତ ହୋଇଥିଲା। ଉକ୍ତ ପେପର ରୋଲ୍‌ରେ ନିଶା ଖିଆଯାଇଥିଲା। ତେଣୁ ଏହାର ମାଲିକ କାହିଁକି ଗିରଫ ହୋଇନାହାନ୍ତି? କାଶିଫ ଖାନ୍ ଆମର ମନ୍ତ୍ରୀ ଅସଲାମ ଶେଖ୍‌ଙ୍କୁ ପାର୍ଟିକୁ ଆସିବା ପାଇଁ ବାଧ୍ୟ କରିଥିଲେ। ବିଭିନ୍ନ ମନ୍ତ୍ରୀମାନଙ୍କର ପିଲାଙ୍କୁ ମଧ୍ୟ ପାର୍ଟିକୁ ନେବା ପାଇଁ ଯୋଜନା କରିଥିଲେ। ଯଦି ଅସଲାମ୍ ଶେଖ୍ ପାର୍ଟିକୁ ଯାଇଥାନ୍ତେ ତାହେଲେ ଉଡ୍‌ତା ପଂଜାବ ପରେ ଉଡ୍‌ତା ମହାରାଷ୍ଟ୍ର ହୋଇଥାନ୍ତା ବୋଲି‌ ସେ କହିଛନ୍ତି।

ସାହସ ଅଛି ତ ନାର୍କୋ ଟେଷ୍ଟ୍‌ ପାଇଁ ଦାବି କରନ୍ତୁ ନୱାବ: ବିଜେପି
ମୁମ୍ବାଇ: କ୍ରୁଜ୍‌ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ତୁହାକୁ ତୁହା ସାମ୍ବାଦିକ ସମ୍ମିଳନୀ କରି ଏନ୍‌ସିବି ଅଧିକାରୀ ଏବଂ ବିଜେପିକୁ ଟାର୍ଗେଟ୍‌ କରୁଥିବା ବେଳେ ଆଜି ନୱାବଙ୍କ ଉଦ୍ଦେଶ୍ୟ ନେଇ ବିଜେପି ପ୍ରଶ୍ନ ଉଠାଇଛି। ମନ୍ତ୍ରୀଙ୍କ ପାଖରେ ଯଦି କିଛି ତଥ୍ୟ ପ୍ରମାଣ ଅଛି ତା’ହେଲେ ତାହାକୁ ସେ ଉପସ୍ଥାପନ କରନ୍ତୁ ଏବଂ ରାଜ୍ୟ ସରକାର ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରନ୍ତୁ। ସାହସ ଅଛି ତ’ ନାର୍କୋ ଟେଷ୍ଟ ପାଇଁ ମଲିକ ଦାବି କରନ୍ତୁ ବୋଲି ବିଜେପି ନେତା ରାମ କଦମ କହିଛନ୍ତି। ନୱାବ କେବଳ ନିଜ ଜ୍ବାଇଁଙ୍କୁ ସୁରକ୍ଷା ଦେବାପାଇଁ ଅନ୍ୟ ଉପରେ ଦୋଷ ଲଦିଦେଲେ ଚଳିବ ନାହିଁ, ଡ୍ରଗ୍ସ ମାମଲାରେ ଏନ୍‌ସିପି ନେତାଙ୍କ ସହିତ ମାଷ୍ଟରମାଇଣ୍ଡ୍‌ ସୁନିଲ ପାଟିଲର ସଂପର୍କ ନେଇ ଆଗକୁ ସବୁ ରହସ୍ୟ ଖୋଲିବ ବୋଲି ଆଜି ରାଜ୍ୟ ବିଜେପିର ଅନେକ ବରିଷ୍ଠ ନେତା କହିଛନ୍ତି।

ସମ୍ବନ୍ଧିତ ଖବର