ମନି ଲଣ୍ଡରିଂ ମାମଲାରେ ନୱାବ ମଲିକ ଗିରଫ: ମାର୍ଚ୍ଚ ୩ ପର୍ଯ୍ୟନ୍ତ ଇଡି ହାଜତରେ ରହିବେ, ଦାଉଦ ସହ କାରବାର ନେଇ ଜେରା

ନୂଆଦିଲ୍ଲୀ : ମହାରାଷ୍ଟ୍ର ମନ୍ତ୍ରୀ ଏବଂ ଏନ୍‌ସିପି ନେତା ନୱାବ ମଲିକଙ୍କୁ ଆଜି ଏକ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ସହ ଜମି କାରବାର ଏବଂ ଅଣ୍ଡରୱାର୍ଲ୍ଡ ସହ ଜଡ଼ିତ କିଛି ବ୍ୟକ୍ତିଙ୍କ ସହ ବେଆଇନ କାରବାର କରିଥିବା ମାମଲାରେ ଇଡି ଆଜି ସକାଳେ ମଲିକଙ୍କୁ ପ୍ରାୟ ୮ ଘଣ୍ଟା ଧରି ଜେରା କରିଛି। ଆଜି ସକାଳେ ମଲିକଙ୍କୁ ଜେରା ପାଇଁ ଇଡି ଅଫିସ୍‌ ନିଆଯାଇଥିଲା। ଇଡି ଅଧିକାରୀମାନେ ସକାଳ ୬ଟାରେ ମଲିକଙ୍କ ବାସଭବନରେ ପହଞ୍ଚିଥିଲେ। ବାସଭବନରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ମଲିକଙ୍କୁ ଜେରା କରିବାପରେ ତାଙ୍କୁ ଇଡି ଅଫିସ୍‌ ନିଆଯାଇ ଜେରା କରାଯାଇଥିଲା। ତାଙ୍କୁ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯାଇଛି। ପିଏମଏଲଏ (ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡ୍ରିଂ ଆକ୍ଟ) ଅଧୀନରେ ତାଙ୍କ ବୟାନ ‌ରେକର୍ଡ କରାଯାଇଛି। ତେବେ ଇଡି ଅଧିକାରୀଙ୍କ ଅନୁଯାୟୀ ନୱାବ ମଲିକ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିନଥିବାରୁ ତାଙ୍କୁ ପିଏମଏଲ୍‌ଏର ବ୍ୟବସ୍ଥା ଅଧୀନରେ ଗିରଫ କରାଯାଇଛି। କିଛି ରିୟଲ ଇଷ୍ଟେଟ୍‌ ପ୍ରକଳ୍ପରେ ନୱାବ ମଲିକଙ୍କ ବେନାମୀ ବିନିଯୋଗର ବିସ୍ତୃତ ବିବରଣୀ ଇଡି ନିକଟରେ ରହିଛି ବୋଲି ଜାଣିବାକୁ ମିଳିଛି। ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ଦୁଇରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ମଧ୍ୟ ମନି ଲଣ୍ଡରିଂ ଏବଂ ବଟି ଆଦାୟ ମାମଲାରେ ଗିରଫ କରାଯାଇଥିଲା।

ମଲିକ ଆଜି ଜେରା ପରେ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ ଟାର୍ଗେଟ୍‌ କରାଯାଉଛି ଏବଂ କୌଣସି ସ୍ଥିତିରେ ବି ସେ ମୁଣ୍ଡ ନୁଆଁଇବେନି। ଇଡି ମଲିକଙ୍କ ମେଡିକାଲ୍‌ ଚେକ୍‌ଅପ୍‌ କରାଇବା ପରେ ସ୍ବତନ୍ତ୍ର କୋର୍ଟରେ ହାଜର କରାଇଥିଲା। କୋର୍ଟ ମଲିକଙ୍କୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର