ମୁମ୍ବାଇ : ମୁମ୍ବାଇ ବିଜେପି ଯୁବ ଶାଖା ସଭାପତି ମୋହିତ ଭାରତୀୟ (କାମ୍ବୋଜ) ଦାଏର କରିଥିବା ମାନହାନି ମାମଲାରେ ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ ତଥା ଏନ୍ସିପି ନେତା ନୱାବ ମଲିକଙ୍କୁ ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍ କୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ଅକ୍ଟୋବର ୯ରେ ଏକ ସାମ୍ବାଦିକ ସମ୍ମିଳନୀରେ ମଲିକ କହିଥିଲେ ଯେ ଭାରତୀୟଙ୍କ ଶାଳକ ଓ ଅନ୍ୟ ଦୁଇଜଣ ମୁମ୍ବାଇ କ୍ରୁଜ୍ ପାର୍ଟିରେ ଉପସ୍ଥିତ ଥିଲେ, ଯାହାଙ୍କୁ ଏନ୍ସିବି ଗିରଫ ନ କରି ଛାଡ଼ି ଦେଇଥିଲା। ଭାରତୀୟ ଅଭିଯୋଗ କରିଛନ୍ତି ଯେ, ମଲିକ ଜାଣିଶୁଣି ଉକ୍ତ ମାମଲାରେ ତାଙ୍କ ନାମ ଓ ତାଙ୍କ ଶାଳକଙ୍କ ନାମକୁ ଯୋଡ଼ି ତାଙ୍କର ମାନହାନି କରିଛନ୍ତି। ଏହାପରେ ଭାରତୀୟ ତାଙ୍କର ଆଉ ମିଥ୍ୟା ବଦନାମ ନ କରିବା ପାଇଁ ଏକାଧିକ ଥର ଲିଗାଲ ନୋଟିସ୍ ପଠାଇଥିଲେ ମଧ୍ୟ ମଲିକ ବାରମ୍ବାର ତାଙ୍କର ମିଥ୍ୟା ବଦନାମ କରିଚାଲିଛନ୍ତି। ତେଣୁ ବାଧ୍ୟ ହୋଇ ସେ ତାଙ୍କ ନାମରେ ମାନହାନି ମକଦ୍ଦମା ଦାଏର କରିଛନ୍ତି। ମାଜିଷ୍ଟ୍ରେଟ୍ କୋର୍ଟ ଏ ବାବଦରେ ନଭେମ୍ବର ୮ରେ ମଲିକଙ୍କୁ ନୋଟିସ୍ ଜାରି କରିଥିଲେ। ମଲିକ ସୋମବାର ମାଜିଷ୍ଟ୍ରେଟ୍ଙ୍କ ଆଗରେ ହାଜର ହୋଇ କହିଥିଲେ ଯେ ତାଙ୍କ ନାମରେ ଯେଉଁ ଅଭିଯୋଗ ଆସିଛି ତାହା ଜାମିନଯୋଗ୍ୟ। ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ। ମାଜିଷ୍ଟ୍ରେଟ୍ ୧୫,୦୦୦ ଟଙ୍କାର ମୁଚାଲିକାରେ ମଲିକଙ୍କୁ ଜାମିନ ପ୍ରଦାନ କରିବା ସହ ଏହି ମାମଲାର ଶୁଣାଣି ପାଇଁ ଡିସେମ୍ବର ୩୦କୁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି।
ମାନହାନି ମାମଲାରେ ନୱାବ ମଲିକ ଜାମିନ ପାଇଲେ
/sambad/media/post_attachments/wp-content/uploads/2019/11/nawab-malik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)