ସ୍ବାମୀଙ୍କ ପ୍ରତି ହୋଇଥିବା ଅବିଚାର ସଂକ୍ରାନ୍ତରେ ନବାବ ମଲିକଙ୍କ ଝିଅ ଲେଖିଲେ ଖୋଲା ଚିଠି

ମୁମ୍ବାଇ: ଚଳିତ ବର୍ଷ ଜାନୁଆରିରେ ସ୍ବାମୀ ସମୀର ଖାଁଙ୍କୁ ‘ଏନ୍‌ସିବି’ ଗିରଫ କରିବା ପରେ ତାଙ୍କ ପରିବାର ପ୍ରତି ହୋଇଥିବା ଅନ୍ୟାୟ ଏବଂ ବେଆଇନ ବ୍ୟବହାର ସଂପର୍କରେ ବର୍ଣ୍ଣନା କରି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ଝିଅ ନିଲୋଫର୍‌ ମଲିକ ଏକ ଖୋଲା ଚିଠି ଲେଖିଛନ୍ତି।

୧୯୪.୬ କିଲୋ ଗଞ୍ଜେଇ ଖରିଦ କରିବା ଏବଂ ପରେ  ବିକ୍ରି ନିମନ୍ତେ ତାହାକୁ ପରିବହନ ଲାଗି ଯୋଜନା କରୁଥିବା ଦର୍ଶାଇ ଜାନୁଆରି ୧୩ ତାରିଖରେ ‘ଏନ୍‌ସିବି’ ସମୀର ଖାନ୍‌ଙ୍କୁ ଗିରଫ କରିଥିଲା। ଏହି ମାମଲାରେ ସମୀର ଓ ଅନ୍ୟ ୫ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା।

‘ଜଣେ ନିରୀହଙ୍କ ପତ୍ନୀଙ୍କ ଠାରୁ: ଅୟମାରମ୍ଭ’ ଶୀର୍ଷକ ପତ୍ରରେ ନିଲୋଫର୍‌ ମଲିକ୍‌ ଖାନ୍‌ ସ୍ବାମୀ ଗିରଫ ହେବା ରାତ୍ରିର କଥା ଠାରୁ ଆରମ୍ଭ କରି ତାଙ୍କ ପରିବାର ଏବେ ମଧ୍ୟ କିଭଳି ବିପତ୍ତି ସହ ସଂଗ୍ରାମ କରୁଛି ତାହା ଉଲ୍ଲେଖ କରିଛନ୍ତି।

Image Courtesy of India Today

ସେ ଲେଖିଛନ୍ତି, ସ୍ବାମୀଙ୍କୁ ବିନା ପ୍ରମାଣରେ ଅଟକ ରଖାଯିବା ସହ ୧୫ ଘଣ୍ଟା ଧରି ଜେରା କରାଯାଇଥିଲା। ସେତେବେଳେ ତାଙ୍କ ବିଷୟରେ ଆମକୁ କୌଣସି ସୂଚନା ଦିଆଯାଇ ନ ଥିଲା। ମୋ ବାପାଙ୍କୁ ମଧ୍ୟ କୌଣସି ସୂଚନା ଦିଆଯାଇ ନ ଥିଲା। ରାଗରେ ମୁଁ ଖାଲି ହାତରେ ଝରକା କାଚକୁ ପିଟି ଚୂନା କରିଦେବାରୁ ଗୁରୁତର ଆହତ ହୋଇଥିଲି। ମୋ ଗୋଡ଼ ଉପରେ କାଚ ପଡ଼ି ୧୫୦ଟି ଷ୍ଟିଚ୍‌ ହୋଇଥିଲା।

ନିଶା ସାମଗ୍ରୀ ବିକାଳିଙ୍କ ପତ୍ନୀ ଏବଂ ଡ୍ରଗ୍‌ ଚୋରାଚାଲାଣକାରୀ ଆଦି କୁହାଯାଇ ଆମ ପରିବାରକୁ ଏକ ପ୍ରକାର ବାସନ୍ଦ କରାଗଲା। ମୋ ପିଲାଏ ନାନା ପ୍ରକାର ମାନସିକ ନିର୍ଯାତନାର ସରବ୍ୟ ହେଲେ। କେହି ସେମାନଙ୍କ ସାଙ୍ଗ ହେଲେ ନାହିଁ। ଲୋକେ ଆମ ସହ କଥାବାର୍ତ୍ତା କରିବାକୁ କୁଣ୍ଠାବୋଧ କଲେ ବୋଲି ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର