୫ କୋଟି ଟଙ୍କାର କ୍ଷତି ଦାବି କରି ଫଡ଼ନବିସଙ୍କୁ ‘ଲିଗାଲ୍‌ ନୋଟିସ୍‌’ ପଠାଇଲେ ନବାବ ମଲିକଙ୍କ ଜ୍ବାଇଁ

ମୁମ୍ବାଇ: ଚଳିତ ବର୍ଷ ପ୍ରାରମ୍ଭରେ ଡ୍ରଗ୍‌ ସମ୍ବନ୍ଧୀୟ ମାମଲାରେ ଗିରଫ ହୋଇ ସମ୍ପ୍ରତି ଜାମିନ୍‌ରେ ଆସିଥିବା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ଜ୍ବାଇଁ ସମୀର ଖାଁ ‘ବିଜେପି’ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କୁ ‘ଲିଗାଲ୍‌‌ ନୋଟିସ୍‌’ ପଠାଇଛନ୍ତି। ମାନସିକ ନିର୍ଯାତନା, କଷ୍ଟ, ଆର୍ଥିକ କ୍ଷତି ଏବଂ ଟେଲିଭିଜନ୍‌ ଚ୍ୟାନେଲ୍‌ରେ ଫଡ଼ନବିସଙ୍କ ବିବୃତି ଯୋଗୁଁ ମର୍ମାହତ ହୋଇଥିବାରୁ ସେ ଉକ୍ତ ନୋଟିସ୍‌ରେ ୫ କୋଟି ଟଙ୍କା ଦାବି କରିଛନ୍ତି।

ନବାବ ମଲିକ ଏବଂ ତାଙ୍କ କନ୍ୟା ନିଲୋଫର୍‌ ମଲିକ ଖାଁ ଟୁଇଟ୍‌ କରି ସେୟାର୍‌ କରିଥିବା ‘ଲିଗାଲ୍‌‌ ନୋଟିସ୍‌’ ଅନୁସାରେ, ସମୀର ଖାଁ ଡ୍ରଗ୍‌ ରଖିଥିଲେ ବୋଲି ଫଡ଼ନବିସ ଅଭିଯୋଗ କରିଥିବା ବେଳେ ମାମଲାର ତଦନ୍ତ ଚାଲିଛି। ‘ଏନ୍‌ସିବି’ ଫାଇଲ୍‌ କରିଥିବା ଚାର୍ଜସିଟ୍ ଆପଣ କରିଥିବା ଅଭିଯୋଗରୁ ଗୋଟିଏ ହେଲେ ବି ନାହିଁ। ୧୪ ଜାନୁଆରି ୨୦୨୧ର ପଞ୍ଚନାମାରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ବାସଭବନ ତଲାସ କରାଯାଇଥିଲେ ସୁଦ୍ଧା ମୋ ମୁଦାଲାଙ୍କ ଘରୁ କିଂବା ତାଙ୍କ ପାଖରୁ  କ‌ୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନ ଥିଲା। କେଉଁ ସୂତ୍ରରୁ ଆପଣ ଏଭଳି ମିଥ୍ୟା, ଅପ୍ରାସଙ୍ଗିକ ଏବଂ ଭିତ୍ତିହୀନ ରିପୋର୍ଟ ପାଇଲେ ତାହା ଆପଣ ଭଲଭାବେ ଜାଣିଥି‌ବେ।

Image Courtesy of The Hindu

‘ଲିଗାଲ୍‌ ନୋଟିସ୍‌’ ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ନବାବ ମଲିକ କହିଛନ୍ତି, ତାଙ୍କ ଘରୁ ଡ୍ରଗ୍‌ ମିଳିଥିବା ଅଭିଯୋଗ କରିଥିବା ଦେବେନ୍ଦ୍ର ଫଡ଼ନବିସଙ୍କ ହେତୁ ମୋ ଝିଅ ‘ଲିଗାଲ୍‌ ନୋଟିସ୍‌’ ପଠାଇଛି। ଯଦି ଫଡ଼ନବିସ କ୍ଷମା ନ ମାଗନ୍ତି ଆମେ ତାଙ୍କ ନାଁରେ ମାନହାନୀ ମୋକଦ୍ଦମା କରିବୁ।

ସମ୍ବନ୍ଧିତ ଖବର