ନୱାବ ମଲିକଙ୍କ ଜ୍ବାଇଁଙ୍କ ଅଡ଼ୁଆ ବଢ଼ିଲା: ୮ ମାସ ପରେ ଜେଲ୍‌ରୁ ମୁକୁଳିଥିଲେ

ଡ୍ରଗ୍ସ ମାମଲାରେ ଜାମିନ ଖାରଜ ପାଇଁ ନୂଆ ପ୍ରମାଣ ଦାଖଲ କରିବ ଏନ୍‌ସିବି

ନୂଆଦିଲ୍ଲୀ: ଏନ୍‌ସିପି ନେତା ନୱାବ ମଲିକ ମୁମ୍ବାଇ ଏନ୍‌ସିବିର ଆଞ୍ଚଳିକ ନି‌ର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବିରୋଧରେ ଲଗାତାର ଆକ୍ରମଣ ଜାରି ରଖିଛନ୍ତି। ଗତକାଲି ମଲିକ ଏକ ବିସ୍ଫୋରକ ଚିଠି ଜାରି ରଖିଥିଲେ। ଏହି ଚିଠିରେ କୁହାଯାଇଛି ଯେ, ୱାଙ୍ଖଡେ ୨୬ଟି ମାମଲାରେ ନିୟମର ଉଲ୍ଲଂଘନ କରିଛନ୍ତି ଏବଂ ଅନେକ ଲୋକଙ୍କ ବିରୋଧରେ ଭୁଲ୍‌ ମାମଲା ରୁଜୁ କରିଛନ୍ତି। ୱାଙ୍ଖଡେ ବେଆଇନ ଭାବେ କିଛି ଲୋକଙ୍କ ଫୋନ୍‌ ଟ୍ୟାପ୍‌ କରିଛନ୍ତି । ମୁମ୍ବାଇ ଏବଂ ଥାନେରେ ୨ ଜଣ ବ୍ୟକ୍ତିଙ୍କ ଦ୍ବାରା ଓାଙ୍ଖଡେ ଏହି କାମ କରିଛନ୍ତି ବୋଲି ଚିଠିରେ କୁହାଯାଇଛି।

ତେବେ ନୱାବ ମଲିକ ଲଗାତାର ଭାବେ ୱାଙ୍ଖଡେଙ୍କ ବିରୋଧରେ ଆକ୍ରମଣ ଜାରି ରଖିବାକୁ ନେଇ ପ୍ରଶ୍ନ ଉଠିଛି। ନୱାବ ମଲିକ ଲଗାତାର ଭାବେ ୱାଙ୍ଖଡେଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ଅଫିସର୍‌ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ମଲିକ ଯେଉଁ ଚିଠି ଜାରି କରିଛନ୍ତି ସେଥିରେ ତାଙ୍କ ଜ୍ବାଇଁ ସମୀର ଖାନ୍‌ଙ୍କୁ ଏନ୍‌ସିବି ଦ୍ବାରା ଏକ ନକଲି ଡ୍ରଗ୍ସ ମାମଲାରେ ଫସାଯାଇଛି ବୋଲି କୁହାଯାଇଛି। ଏଥିରୁ ଜଣାପଡ଼ୁଛି ‌ଯେ, ମଲିକ ତାଙ୍କ ଜ୍ବାଇଁଙ୍କ ବିରୋଧରେ ଥିବା ମାମଲାକୁ ଦୁର୍ବଳ କରିବାପାଇଁ ଲଗାତାର ଭାବେ ୱାଙ୍ଖଡେଙ୍କୁ ଟାର୍ଗେଟ କରୁଛନ୍ତି। ଡ୍ରଗ୍ସ ମାମଲାରେ ମଲିକଙ୍କ ଜ୍ବାଇଁ ସମୀର ଖାନ୍‌ ଚଳିତବର୍ଷ ଜାନୁଆରି ୧୩ରେ ଏନ୍‌ସିବି ଦ୍ବାରା ଗିରଫ ହୋଇଥିଲେ। ୮ ମାସ ଜେଲ୍‌ରେ ରହିବାପରେ ଗତ ସେପ୍ଟେମ୍ବର ୨୭ ତାରିଖରେ ତାଙ୍କୁ ଜାମିନ ମିଳିଥିଲା। ବଲିଉଡ୍‌ ଡ୍ରଗ୍‌ ‌ମାମଲାର ତଦନ୍ତରେ ଜଣେ ଅଭିଯୁକ୍ତ ସହ ସମୀର ଖାନ୍‌ ଅନଲାଇନ୍‌ରେ ଟଙ୍କା କାରବାର କରିଥିବା ଜଣାପଡ଼ିବାପରେ ଏନ୍‌ସିବି ତାଙ୍କୁ ଗିରଫ କରିଥିଲା। ତେବେ ଖାନ୍‌ ଏହି ମାମଲାରେ ଜାମିନ ପାଇବାର ଦିନକ ପରେ ଏନ୍‌ସିବି ତାଙ୍କୁ ଅନ୍ୟ ଏକ ମାମଲାରେ ଗିରଫ କରିଥିଲା। ଏହାପରଠାରୁ ମଲିକ ନାର୍କୋଟିକ୍ସ ସଂସ୍ଥା ଏବଂ ୱାଙ୍ଖଡେଙ୍କ ବିରୋଧରେ ଲଗାତାର ଆକ୍ରମଣ ଜାରି ରଖିଛନ୍ତି। ୱାଙ୍ଖଡେ ଜଣେ ଦୁର୍ନୀନିଗ୍ରସ୍ତ ଅଫିସର ବୋଲି ମଲିକ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଏବଂ ତାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଏନ୍‌ସିବି ମଲିକଙ୍କ ଜ୍ବାଇଁଙ୍କୁ ଗିରଫ କରିଥିବାରୁ ମଲିକ ଲଗାତାର ୱାଙ୍ଖଡେଙ୍କୁ ଟାର୍ଗେଟ୍‌ କରୁଛନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର