ଇସଲାମାବାଦ: ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ ଏବଂ ତାଙ୍କ ଝିଅ ମରିୟମ ରାଓ୍ଵଲପିଣ୍ଡିର ଆଦିଆଲା ଜେଲ୍ରେ ପ୍ରଥମ ରାତି କଟାଇଛନ୍ତି। ଜେଲ୍ରେ ଉଭୟଙ୍କୁ ‘ବି ଶ୍ରେଣୀ’ ସୁବିଧା ମିଳିଛି। ଏହାଦ୍ୱାରା ସେମାନଙ୍କୁ କେତେକ ସ୍ୱତନ୍ତ୍ର ସୁବିଧା ମିଳିପାରିବ। ଏ ଏବଂ ବି ଶ୍ରେଣୀ ସେଲ୍ରେ ସାଧାରଣତଃ ଖଟ, ଚେୟାର, ଟି ଟେବୁଲ ଏବଂ ଆବଶ୍ୟକ ଆଲୋକ ବ୍ୟବସ୍ଥା ଉପଲବ୍ଧ । ଏହାବାଦ୍ କଏଦୀମାନେ ନିଜ ଖର୍ଚ୍ଚରେ ଟିଭି, ଏସି ଏବଂ ଫ୍ରିଜ୍ ଲଗାଇପାରିବେ। ତେବେ ସାଧାରଣତଃ ଭଲ ସାମାଜିକ ସ୍ଥିତି ଏବଂ ଶିକ୍ଷାଗତ ଯୋଗ୍ୟତା ଥିବା ସ୍ୱଚ୍ଛଳ ଲୋକମାନଙ୍କୁ ପାକିସ୍ତାନ ଜେଲ୍ରେ ଏ ଏବଂ ବି ଶ୍ରେଣୀ ସୁବିଧା ମିଳେ। ସେମାନେ ଜେଲ୍ରେ କୌଣସି କଠୋର ପରିଶ୍ରମ କରିନଥାନ୍ତି । ଏକ ରିପୋର୍ଟରୁ ଜଣାଯାଇଛି ଯେ ସରିଫ୍ ଏବଂ ମାରିୟମ୍ଙ୍କୁ ରାଜଧାନୀର ଏକ ରେଷ୍ଟ୍-ହାଉସ୍କୁ ସ୍ଥାନାନ୍ତର କରାଯିବା ଏବଂ ତାହାକୁ ଅସ୍ଥାୟୀ ଜେଲ୍ ଭାବେ ଘୋଷଣା କରାଯିବ। ଉଲ୍ଲେଖଯୋଗ୍ୟ ଏଭନ୍ଫିଲ୍ଡ ଆପାର୍ଟମେଣ୍ଟ୍ ଦୁର୍ନୀତି ମାମଲାରେ ନଓ୍ଵାଜ ସରିଫ୍ ଏବଂ ମରିୟମ୍ଙ୍କୁ ଯଥାକ୍ରମେ ୧୦ ଓ ୭ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଗତକାଲି ଲଣ୍ଡନ୍ରୁ ଏକ ସ୍ୱତନ୍ତ୍ର ବିମାନ ଦ୍ୱାରା ସେମାନେ ଲାହୋର ଆସିବାପରେ ତୁରନ୍ତ ସେମାନଙ୍କୁ ଗିରଫ କରାଯାଇଥିଲା। ଏହାପରେ ଉଭୟଙ୍କୁ ହେଲିକପ୍୍ଟର ଯୋଗେ କଡ଼ା ସୁରକ୍ଷା ବଳୟରେ ଅଦିଆଲା ଜେଲ୍ ନିଆଯାଇଥିଲା। ନଓ୍ଵାଜଙ୍କ ଓକିଲ ଏଭନ୍ଫିଲ୍ଡ ସମ୍ପତ୍ତି ମାମଲାରେ ଆସିଥିବା କୋର୍ଟ ରାୟ ବିରୋଧରେ ସୋମାବାର ଦିନ ଆବେଦନ କରିବେ ବୋଲି ଆଜି ଘୋଷଣା କରିଛନ୍ତି। ଆଦିଆଲା ଜେଲ୍ରେ ଆଜି ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଏକ ଡାକ୍ତର ଟିମ୍ ନଓ୍ଵାଜ (୬୮) ଏବଂ ତାଙ୍କ ଝିଅ ମାରିୟମ (୪୮)ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଏବଂ ଉଭୟଙ୍କୁ ସଂପୂର୍ଣ୍ଣ ସୁସ୍ଥ ଘୋଷଣା କରାଯାଇଛି। ନଓ୍ଵାଜ୍ଙ୍କ ଗିରଫଦାରୀ ପ୍ରତିବାଦରେ ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରହିଛି। ଅନ୍ୟପକ୍ଷରେ ତାଙ୍କ ବିରୋଧୀମାନେ ଏବେ ନଓ୍ଵାଜଙ୍କ ସମ୍ପତ୍ତି ଜବତ ପାଇଁ ଦାବି କରି ଆନ୍ଦୋଳନ ଆରମ୍ଭ କରିବାକୁ ଚେତାବନୀ ଦେଇଛନ୍ତି।
ଜେଲ୍ରେ ନଓ୍ଵାଜ, ମରିୟମ୍ଙ୍କୁ ‘ବି ଶ୍ରେଣୀ’ ସୁବିଧା
/sambad/media/post_attachments/wp-content/uploads/2018/07/sarif.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)