ଗିରଫ ହେଲେ ନଓ୍ଵାଜ

ଝିଅ ମାରିୟମ୍‌ ବି ଗିରଫ ଲାହୋର ସେନା ଛାଉଣି, ଦେଶବ୍ୟାପୀ ଉତ୍ତେଜନା

ଲାହୋର: ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ଏବଂ ତାଙ୍କ ଝିଅ ମାରିୟମ ଆଜି ଲାହୋର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ ହୋଇଛନ୍ତି। ରାତି ୮ଟା ୪୫ରେ ସେମାନଙ୍କ ବିମାନ ଅବତରଣ କରିବା ପରେ ଉଭୟଙ୍କୁ ତତ୍କାଳ ଗିରଫ କରାଯାଇଥିଲା। ଏହି ଗିରଫଦାରୀକୁ ନେଇ ଲାହୋରରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି ଏବଂ ଏୟାରପୋର୍ଟ ଅଂଚଳରେ ମଧ୍ୟ ସୁରକ୍ଷାକର୍ମୀ-ନଓ୍ଵାଜ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ବିମାନ ବନ୍ଦରରେ ୧୦ ହଜାର ପାକିସ୍ତାନୀ ସେନା ମୁତୟନ ହୋଇଥିବା ବେଳେ ସମଗ୍ର ସହରକୁ ସୁରକ୍ଷା ବାହିନୀ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ବିମାନ ଲାହୋରରେ ଅବତରଣ କରିବା ମାତ୍ରେ ହିଁ ନଓ୍ଵାଜ ଓ ମାରିୟମଙ୍କୁ ଗିରଫ କରି ଦୁଇଟି ହେଲିକପ୍‌୍‌ଟରରେ ଭିନ୍ନ ଭିନ୍ନ ଜେଲ୍‌କୁ ନିଆଯାଇଛି। ନଓ୍ଵାଜଙ୍କ ଗିରଫଦାରୀ ପ୍ରତିବାଦରେ ଲାହୋର, କରାଚି ଏବଂ ଇସଲାମାବାଦରେ ବଡ଼ ଧରଣର ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ ହୋଇଛି। ପାକିସ୍ତାନ ମୁସ୍‌୍‌ଲିମ ଲିଗ୍‌-ନଓ୍ଵାଜ(ପିଏମ୍‌୍‌ଏଲ୍‌ଏନ୍‌)ର ୨ ହଜାରରୁ ଅଧିକ ସମର୍ଥକଙ୍କୁ ଅଟକ ରଖାଯାଇଛି। ଦଳର ୩ ଶହରୁ ଅଧିକ କାର୍ଯ୍ୟକର୍ତ୍ତା ମଧ୍ୟ ଗିରଫ ହୋଇଛନ୍ତି। ଦେଶରେ ଏବେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ଗିରଫଦାରୀକୁ ନେଇ ବ୍ୟାପକ ହିଂସା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଆତଙ୍କବାଦୀମାନେ ନିର୍ବାଚନୀ ର‍୍ୟାଲିଗୁଡ଼ିକୁ ଟାର୍ଗେଟ୍‌ କରୁଥିବାରୁ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ଯାହା କରିବା ଉଚିତ ତାହା କରୁଛି: ନଓ୍ଵାଜ

ଏଭନ୍‌ଫିଲ୍‌୍‌ଡ ଆପାର୍ଟମେଣ୍ଟ ଦୁର୍ନୀତି ମାମଲାରେ ପାକିସ୍ତାନ ଅଦାଲତ ନଓ୍ଵାଜ ଓ ତାଙ୍କ ଝିଅଙ୍କୁ ଦୋଷୀ ସାବ୍ୟସ୍ତ କରି ଉଭୟଙ୍କୁ ଯଥାକ୍ରମେ ୧୦ ବର୍ଷ ଓ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ନଓ୍ଵାଜଙ୍କ ଦୁଇ ପୁଅଙ୍କୁ ମଧ୍ୟ ଅଦାଲତ ପଳାତକ ଘୋଷଣା କରିଛନ୍ତି। ତେବେ ନଓ୍ଵାଜ କହିଛନ୍ତି ଯେ ସେ ସର୍ବଦା ଦେଶର ସ୍ୱାର୍ଥକୁ ଧ୍ୟାନରେ ରଖି କାମ କରିଛନ୍ତି ଏବଂ ଏଥିପାଇଁ ତାଙ୍କୁ ବହୂମୂଲ୍ୟ ଦେବାକୁ ପଡ଼ୁଛି। ସେ ଯେ କୌଣସି ଦଣ୍ଡର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଯାହା କରିବା ଉଚିତ ତାହା ମୁଁ କରୁଛି ଏବଂ ଏଥିରୁ ପଛକୁ ହଟିବି ନାହିଁ ବୋଲି ଆଜି ଏକ ଭିଡିଓ ବାର୍ତ୍ତାରେ ନଓ୍ଵାଜ କହିଛନ୍ତି। ପାକିସ୍ତାନରେ ଆଗାମୀ ୨୫ ତାରିଖ ଦିନ ଜାତୀୟ ନିର୍ବାଚନ ଥିବା ବେଳେ ଏବେ ସରଗରମ ପ୍ରଚାର ଚାଲିଛି। ନଓ୍ଵାଜଙ୍କ ବିରୋଧରେ ଅଦାଲତର ରାୟ ଯୋଗୁଁ ତାଙ୍କ ଦଳ ପାଇଁ ଘୋର ଅଡ଼ୁଆ ସ୍ଥିତି ଉପୁଜିଥିବା ବେଳେ ଏଥିରୁ ଯଥା ସମ୍ଭବା ଫାଇଦା ଉଠାଇବାକୁ ଇମ୍ରାନ୍‌ ଖାନ୍‌୍‌ଙ୍କ ଦଳ ତହରିକ୍‌ ଏ ଇନ୍‌୍‌ସାଫ୍‌ ପ୍ରୟାସ ଜାରି ରଖିଛି । ନଓ୍ଵାଜ ଓ ତାଙ୍କ ପରିବାର ବିରୋଧରେ ଦଣ୍ଡାଦେଶ ଘୋଷଣା ବେଳେ ସେମାନେ ଲଣ୍ଡନରେ ଥିଲେ। ନଓ୍ଵାଜଙ୍କ ଅସୁସ୍ଥ ପତ୍ନୀଙ୍କ ଚିକିତ୍ସା ଏବେ ଲଣ୍ଡନରେ ଚାଲିଛି। ଆଜି ଲଣ୍ଡନରୁ ଝିଅ ସହ ବିମାନରେ ଫେରିବା ବେଳେ ନଓ୍ଵାଜ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ସମର୍ଥକମାନଙ୍କୁ ଶାନ୍ତି ବଜାୟ ରଖିବାକୁ କହିଥିଲେ। ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ସର୍ବଦା ସେ ଉଚିତ ପଦକ୍ଷେପ ହିଁ ନେଇଥିବା ନଓ୍ଵାଜ କହିଛନ୍ତି। ଆଜି ସକାଳେ ଲଣ୍ଡନରେ ରହୁଥିବା ସରିଫ୍‌ଙ୍କ ଦୁଇ ନାତି ଜୁନେଦ୍‌ ଏବଂ ଜାକେରିୟା ମଧ୍ୟ ଗିରଫ ହୋଇଛନ୍ତି। ନଓ୍ଵାଜଙ୍କ ବିରୋଧରେ ଲଣ୍ଡନରେ ବିକ୍ଷୋଭ ଚାଲିଥିବା ବେଳେ ସେମାନେ ଲୋକଙ୍କ ସହ ଝଗଡ଼ା କରିଥିଲେ। ସେଠାରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବାରୁ ମେଟ୍ରେପଲିଟାନ୍‌ ପୁଲିସ ଉକ୍ତ ଘଟଣାରେ ହସ୍ତକ୍ଷେପ କରି ନଓ୍ଵାଜଙ୍କ ଦୁଇ ନାତିଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର