ଲଣ୍ଡନ : ପାକିସ୍ତାନ ଏବେ ଏକ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି । କେବଳ ଆର୍ଥିକ ସଂକଟ ନୁହେଁ, ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବି ପାକିସ୍ତାନ ସଂଘର୍ଷ କରୁଛି । ତେବେ ଏହି ପରିସ୍ଥିତି ପାଇଁ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦାୟୀ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ।

Advertisment

ଲଣ୍ଡନଠାରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ)ର ନେତାମାନଙ୍କ ସହ ଏକ ବୈଠକ ପରେ ଏହି ଦଳର ମୁଖ୍ୟ ସରିଫ କହିଛନ୍ତି ଯେ ପାକିସ୍ତାନର ସେନା ଏବଂ ଗୁଇନ୍ଦା ଏଜେନ୍ସି ଆଇଏସଆଇର ପୂର୍ବତନ ମୁଖ୍ୟମାନେ ଦେଶର ଏହି ସଙ୍କଟ ପାଇଁ ଦାୟୀ, ଯେଉଁମାନେ ୨୦୧୮ ସାଧାରଣ ନିର୍ବାଚନରେ ରିଗିଂ କରିଥିଲେ ଏବଂ ଇମ୍ରାନ ଖାଁଙ୍କ ନେତୃତ୍ୱାଧୀନ ସରକାରଙ୍କୁ କ୍ଷମତାକୁ ଆଣିଥିଲେ ।

ସେ କହିଛନ୍ତି ଯେ ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବଂ ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ)ର ପୂର୍ବତନ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମିଦ ସେମାନଙ୍କର ବ୍ୟକ୍ତିଗତ ଅଭିଳାଷ ଏବଂ ସ୍ବାର୍ଥ ହେତୁ ପାକିସ୍ତାନକୁ ସଙ୍କଟକୁ ଠେଲିବା ପାଇଁ କାର୍ଯ୍ୟ କରିଥିଲେ ।

ସରିଫ କହିଛନ୍ତି, “ବାସ୍ତବତା ଏବେ ସମସ୍ତଙ୍କ ସାମ୍ନାରେ ଅଛି। କୌଣସି ନାମ କିମ୍ବା ଚେହେରା ଆଉ ଲୁଚିକରି ନାହିଁ। ବ୍ୟକ୍ତିଗତ ଲାଭ ପାଇଁ ପାକିସ୍ତାନ ବ୍ୟବହୃତ ହୋଇଥିଲା । ଏହା ଦେଶ ପାଇଁ କରାଯାଇଥିବା ଏକ ନିଷ୍ଠୁର ଥଟ୍ଟା ଥିଲା । "