ଇସ୍‌ଲାମାବାଦ: ରବିବାର ଦିନ ଇସ୍‌ଲାମାବାଦ ପୁଲିସର ଗିରଫଦାରିକୁ ଏଡ଼ାଇଥିବାରୁ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ ନୱାଜ୍‌’ (ପିଏମ୍‌ଏଲ୍‌) ନେତ୍ରୀ ମରିୟମ୍‌ ନୱାଜ୍ ଇମ୍ରାନ୍‌ ଖାଁଙ୍କୁ ବିଦ୍ରୂପ କରିଛନ୍ତି।

Advertisment

ସେ କହିଛନ୍ତି, ଇମ୍ରାନ୍‌ ଖାଁ ଏବଂ ନୱାଜ୍ ଶରିଫ୍‌ଙ୍କ (ମରିୟମ୍‌ଙ୍କ ବାପା ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ) ମଧ୍ୟରେ ତୁଳନା ଅସମ୍ଭବ। ନୱାଜ୍‌ ଶରିଫ୍‌ ଜଣେ ସାହସୀ ବ୍ୟକ୍ତି।

ଇମ୍ରାନ୍‌ ଖାଁଙ୍କ ‘ଜେଲ୍‌ ଭରୋ ତେହ୍‌ରୀକ୍‌’ ହେଉଛି ଇତିହାସରେ ସବୁଠୁ ବିଫଳ ଆନ୍ଦୋଳନ। ଖରାପ ଅବସ୍ଥାରେ ଥାଇ ବି ଜେଲ୍‌ଦଣ୍ଡର ସମ୍ମୁଖୀନ ହୋଇ ନୱାଜ୍‌ ଶରିଫ୍‌ ସାହସିକତା ପ୍ରଦର୍ଶନ କରିଥିଲା ବେଳେ ଇମ୍ରାନ୍‌ ଖାଁ ଜେଲ୍‌ ଗଲେ ନାହିଁ ବୋଲି ସେ କହିଥିବା କଥା ‘ଦି ନିଉଜ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ ରିପୋର୍ଟ କରିଛି।

ଗିରଫଦାରି ଏଡ଼ାଇଥିବାରୁ ‌ସାମାଜିକ ଗଣମାଧ୍ୟମ ‘ଟୁଇଟର୍‌’ରେ ଇମ୍ରାନ୍‌ ଖାଁଙ୍କୁ ବିଦ୍ରୂପ କରିବା ପରେ ସେ ନିଜ ବାପା ତଥା ଦଳର ସୁପ୍ରିମୋ ନୱାଜ୍‌ ଶରିଫ୍‌ଙ୍କୁ ଅନୁରୋଧ କରିଛନ୍ତି କି, ସେ ଇମ୍ରାନ୍‌ ଖାଁଙ୍କୁ କିଛି ସାହସ ଧାର ଦିଅନ୍ତୁ।

publive-image Image Courtesy of The Print

‘ଟୁଇଟ୍‌’ ପୋଷ୍ଟ୍‌ରେ ନୱାଜ୍‌ ଶରିଫ୍‌ଙ୍କୁ ଟ୍ୟାଗ୍‌ କରି ମରିୟମ୍‌ ନୱାଜ୍‌ କହିଛନ୍ତି, ଶୁଣନ୍ତୁ ନୱାଜ୍ ଶରିଫ୍‌, ଦୟାପୂର୍ବକ ଇମ୍ରାନ୍‌ ଖାଁଙ୍କୁ ଟିକିଏ ସାହସ ଉଧାର ଦିଅନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସିଂହ (ନୱାଜ) ନିର୍ଦୋଷ ହୋଇଥିଲେ ବି ଗିରଫ ହେବା ପାଇଁ ଝିଅର ହାତ ଧରି ଲଣ୍ଡନ୍‌ରୁ ପାକିସ୍ତାନ ଆସିଥିଲେ। ବାହାରି ଯାଅ ଭୀରୁ। ଦେଶବାସୀ ନେତା ଓ ସଙ୍ଗଠକଙ୍କ ମଧ୍ୟରେ ଥିବା ଫରକ୍ ଜାଣନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଯଦି ବିଲୁଆ ଗୋଟାଏ ଚୋର ହୋଇଥିବ ସେ ଅନ୍ୟ ବ୍ୟକ୍ତିଙ୍କ ଝିଅ ପଛରେ ଲୁଚିବା ସହିତ ଗିରଫଦାରି ଏଡ଼ାଇବା ଲାଗି ତାକୁ ଢାଲ ଭାବେ ବ୍ୟବହାର କରିବ।

ସୂଚନାଯୋଗ୍ୟ, ତୋଷଖାନା ମାମଲାରେ ଇମ୍ରାନ୍‌ଙ୍କୁ ଗିରଫ କରିବା ଲାଗି ରବିବାର ଦିନ ଇସ୍‌ଲାମାବାଦ ପୁଲିସ ଇମ୍ରାନ୍‌ ଖାଁଙ୍କ ବାସଭବନକୁ ଯାଇଥିଲା। କିନ୍ତୁ, ଗିରଫଦାରି ଏଡ଼ାଇବା ଲାଗି ସେ ଘରୁ ଖସି ପଳାଇଥିଲେ।