ପାକିସ୍ତାନର ସାମରିକ ରାଜ୍‌ ବିରୋଧରେ ନଓ୍ୱାଜ ସରିଫଙ୍କ ବିଷୋଦ୍‌ଗାର

ଲଣ୍ଡନ: ଗତ ୨୧ ତାରିଖରେ ପାକିସ୍ତାନର ସର୍ବଦଳୀୟ ସମାବେଶକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ବୋଧନ ଦେଇ ଲଣ୍ଡନରେ ନିର୍ବାସନ ଭୋଗୁଥିବା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ନଵାଜ ସରିଫ ଦେଶର ସାମରିକ ରାଜ୍‌ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ଅସନ୍ତୋଷକୁ ବ୍ୟକ୍ତ କରୁଥିବା ବ୍ୟକ୍ତିବିଶେଷଙ୍କ କଣ୍ଠରୋଧ ପାଇଁ ସର୍ବଦା ଚେଷ୍ଟିତ ଶକ୍ତିଶାଳୀ ସାମରିକ ନେତୃତ୍ବର ତାଡ଼ନା ଯୋଗୁଁ ତାଙ୍କ ପରି ଅନେକ ଦେଶପ୍ରେମୀ ସ୍ବଦେଶକୁ ଫେରିପାରୁନାହାନ୍ତି ବୋଲି ସରିଫ କହିଛନ୍ତି। ସରିଫ୍‌ ସିନା ମୁହଁ ଖୋଲି ମନର କଥା କହିଦେଲେ, ତେବେ ତାଙ୍କର ଏଭଳି ବକ୍ତବ୍ୟ ସତରେ କ’ଣ ପାକିସ୍ତାନରେ ରାଜନୈତିକ ମୂଲ୍ୟବୋଧ ପ୍ରଣାଳୀରେ ପରିବର୍ତ୍ତନ ଆଣି ଲୋକଙ୍କୁ ଆଉ ନିଜ ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡ଼ିବାକୁ ବାଧ୍ୟ କରିବନି ବୋଲି ପ୍ରଶ୍ନ ଉଠିଛି।

ସମ୍ପ୍ରତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅମଳରେ ଦେଶବାସୀ ବେସାମରିକ ଶାସନର ନିମ୍ନତମ ଅବସ୍ଥାକୁ ସାମନା କରିବା ସହ ଦେଶକୁ ଏକ ଯୌଥ ସାମରିକ ଶାସନ ମାଡ଼ି ବସିଥିବା ଅଙ୍ଗେ ନିଭାଉଛନ୍ତି। ସୁତରାଂ ଦେଶର ସଚେତନ ନାଗରିକଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଅନ୍ତରର ଭାଷା ସରିଫ୍‌ଙ୍କ ମୁହଁରେ ପ୍ରତିଧ୍ବନିତ ହୋଇଥିବା ସମସ୍ତେ ଅନୁଭବ କରୁଛନ୍ତି। ତେବେ ସମସ୍ତଙ୍କ ମନରେ ଉଙ୍କିମାରୁଥିବା ପ୍ରଶ୍ନଟି ହେଉଛି ସତରେ କ’ଣ ନ​ଵାଜ୍‌ଙ୍କ ଏହି ସୁଦୂର ଦରିଆପାରି ଉଦ୍ୟମ ତାଙ୍କ ଆଭିମୁଖ୍ୟକୁ ସଫଳକାମୀ କରିପାରିବ? ପାକିସ୍ତାନର ସେନାଧ୍ୟକ୍ଷ ମୁଖ୍ୟାଳୟ କବ୍‌ଜାରୁ ଦେଶ କ’ଣ ସତରେ ମୁକୁଳି ପାରିବ? ତେବେ ଏ କଥା ନିଶ୍ଚୟ, ଦୀର୍ଘ ବର୍ଷେ ହେଲା ନିରବ ଥିବା ସରିଫ ସାମରିକ ନେତୃତ୍ବ ବିରୋଧରେ ଏହି ବିଷୋଦ୍‌ଗାର ସହ ପାକିସ୍ତାନ ରାଜନୀତିର ପୁଣି ପ୍ରାସଙ୍ଗିକ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର