ନୂଆଦିଲ୍ଲୀ: ସ୍ୱଦେଶ ପ୍ରତ୍ୟାବର୍ତ୍ତନର କିଛି ଘଣ୍ଟା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ତାଙ୍କ କାର୍ଯ୍ୟକାଳର ସଫଳତା ବଖାଣିଛନ୍ତି। ସେ କହିଛନ୍ତି ଯେ ୧୯୯୮ରେ ଭାରତର ପରମାଣୁ ପରୀକ୍ଷାର ଜବାବ ଦେବାକୁ ଯାଇ ସେ ମଧ୍ୟ ପରମାଣୁ ପରୀକ୍ଷା କରିଥିଲେ, ଯଦିଚ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ତାଙ୍କୁ ଏପରି ନ କରିବାକୁ ୫ ବିଲିୟନ ଡଲାର ଯାଚିଥିଲେ। ୭୩ ବର୍ଷୀୟ ସରିଫ୍ ଦୁବାଇରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଗତକାଲି ସ୍ୱଦେଶ ଫେରିବା ସହ ଜାନୁଆରିରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ରେକର୍ଡ ଚତୁର୍ଥ ଥର ପାଇଁ ବିଜୟୀ ହେବାକୁ ଅଣ୍ଟା ଭିଡ଼ିଛନ୍ତି ।
ଇସ୍ଲାମାବାଦରେ ସରିଫ୍ ଲୋକଙ୍କ ଉଦ୍ବୋଧନ ଦେଇ କହିଛନ୍ତି, ମୁଁ ଆଜି ଆପଣମାନଙ୍କୁ ଭେଟୁଛି, କିନ୍ତୁ ଆପଣମାନଙ୍କ ଆଖିରେ ଯେଉଁ ଭଲପାଇବା ଦେଖୁଛି, ସେଥିପାଇଁ ମୁଁ ଗର୍ବିତ । ଏହି ଅବସରରେ ୧୯୯୮ରେ ପାକିସ୍ତାନ ଭାରତର ପରମାଣୁ ପରୀକ୍ଷଣର ଜବାବ ଦେବାକୁ ଚାହୁଥିବା ବେଳେ ବିଦେଶୀ ସରକାରଙ୍କଠାରୁ ସେ ଯେଉଁ ବଡ଼ ଚାପର ସମ୍ମୁଖୀନ ହୋଇଥିଲେ ତାହା ମନେ ପକାଇଥିଲେ। ‘କ୍ଲିଣ୍ଟନ୍ ମୋତେ ୫ ବିଲିୟନ ଡଲାର ଅଫର କରିଥିଲେ। ଏହା ୧୯୯୯ରେ ଘଟିଥିଲା ... ମୋତେ ମଧ୍ୟ ୧ ବିଲିୟନ ଡଲାର ଦିଆଯାଇ ପାରିଥାନ୍ତା, କିନ୍ତୁ ମୁଁ ପାକିସ୍ତାନ ମାଟିରୁ ଜନ୍ମ ନେଇଥିଲି ଏବଂ ଏହା ମୋତେ ପାକିସ୍ତାନର ବିରୋଧରେ ଯାଉଥିବା କିଛି ଜିନିଷକୁ ଗ୍ରହଣ କରିବାକୁ ଅନୁମତି ଦେଇନଥିଲା’ ବୋଲି ସରିଫ କହିଥିଲେ।