ରାୟପୁର: ଆଜି ଛତିଶଗଡର ନାରାୟଣପୁର ଜିଲ୍ଲାରେ ସଶସ୍ତ୍ର ନକ୍ସଲମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି | ନକ୍ସଲମାନେ ଏକ ଖଣି ଉପରେ ଆକ୍ରମଣ କରିଥିବାବେଳେ ସେଠାରେ କାମ କରୁଥିବା ଦୁଇ ଜଣ କର୍ମଚାରୀଙ୍କୁ ଅପହରଣ କରିନେଇଛନ୍ତି | ଏହା ସହ ସଡକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଚାରିଟି ଗାଡିରେ ନିଆଁ ଲଗାଇଦେଇଥିଲେ । ନାରାୟଣପୁର ପୁଲିସ ଅଧୀକ୍ଷକ ମୋହିତ ଗର୍ଗ କହିଛନ୍ତି ଯେ ଏହି ଘଟଣାଟି ଛୋଟେ ଡୋଙ୍ଗର ପୁଲିସ ଷ୍ଟେସନ ଅଞ୍ଚଳର ଅମଦାଇ ଖଣିରେ ଘଟିଛି |
ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ନକ୍ସଲ ଆଜି ଏହି ଖଣି ଉପରେ ଆକ୍ରମଣ କରି ସେଠାରେ କାମ ବନ୍ଦ କରିବାକୁ କହିଥିଲେ | ଏହା ସହ ଖଣିରେ ସଡକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଚାରିଟି ଗାଡିରେ ନିଆଁ ଲଗାଇ ଦେଇଥିଲେ ଏବଂ ଦୁଇ ଅପରେଟରଙ୍କୁ ଅପହରଣ କରିନେଇଛନ୍ତି | ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି ଯେ ଜୟସୱାଲ ନେକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଜେଏନ୍ଏଲ୍) କୁ ଦିଆଯାଇଥିବା ଏହି ଖଣିରେ ଉତ୍ପାଦନ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ଏବଂ ଉକ୍ତ ସ୍ଥାନରେ ଖଣି ଖନନ କାର୍ଯ୍ୟ ଚାଲିଛି।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ | ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଥିବାରୁ କ୍ଷୟକ୍ଷତି ବାବଦରେ ସଠିକ ସୂଚନା ମିଳିପାରିନାହିଁ |