ନକ୍ସଲ ମୁକାବିଲା: ଓଡ଼ିଶାକୁ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତାରେ ୭୮% ହ୍ରାସ, ୨୦୨୦-୨୧ରେ ମିଳିଛି ମାତ୍ର ୧୪.୨୫ କୋଟି

ନୂଆଦିଲ୍ଲୀ: ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନିରାପତ୍ତା ସମ୍ପର୍କିତ ବ୍ୟୟ ବହନ କରିବା ଲାଗି ଓଡ଼ିଶାକୁ ମିଳୁଥିବା ‌ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତାରେ ବଡ଼ ଧରଣର ହ୍ରାସ ଘଟିଛି। ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ଆକାରରେ ଓଡ଼ିଶାକୁ ଗତ ଚାରିଟି ଆର୍ଥିକ ବର୍ଷରେ ମିଳିଥିବା ତଥ୍ୟ କେନ୍ଦ୍ର ସରକାର ଜାରି କରିଛନ୍ତି। ତାହାକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ୨୦୨୦-୨୧ରେ ଏହି ସହାୟତା ରାଶି ପ୍ରାୟ ୭୮% ହ୍ରାସ ଘଟିଛି। ଏହି ବର୍ଷ ଓଡ଼ିଶାକୁ ମାତ୍ର ୧୪.୨୫ କୋଟି ଟଙ୍କା ମିଳିଛି।

କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟ ଅନୁଯାୟୀ, ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ଭାବେ ଓଡ଼ିଶାକୁ ୨୦୧୭-୧୮ରେ ୧୦ କୋଟି ଟଙ୍କା, ୨୦୧୮-୧୯ରେ ୬୬.୬୭ କୋଟି ଟଙ୍କା, ୨୦୧୯-୨୦ରେ ୬୬.୬୬ କୋଟି ଟଙ୍କା ଓ ୨୦୨୦-୨୧ରେ ୧୪.୨୫ କୋଟି ଟଙ୍କା ମିଳିଛି। ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ଏହି ସହାୟତା ରାଶିରେ ୭୮.୬୨ ପ୍ରତିଶତର ହ୍ରାସ ଘଟିଛି। ୨୦୧୮ ଏପ୍ରିଲ୍ ପୂର୍ବରୁ ଏହି ସ୍କିମ୍ ଅଧୀନରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ୬୪ଟି ନକ୍ସଲ ପ୍ରଭାବିତ ଜିଲ୍ଲା ଥିଲା। ୨୦୧୮ ଏପ୍ରିଲ୍‌ ପରେ ଜିଲ୍ଲାଗୁଡ଼ିକର ସଂଖ୍ୟା ୫୪କୁ ହ୍ରାସ ପାଇଛି। ୨୦୧୮ ଏପ୍ରିଲ୍‌ ପୂର୍ବରୁ ଓଡ଼ିଶାର ଜଗପତି, ଗଞ୍ଜାମ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ନୟାଗଡ଼, କନ୍ଧମାଳ, ଦେବଗଡ଼, ଯାଜପୁର, ଢେଙ୍କାନାଳ, କଳାହାଣ୍ଡି, ନୂଆପଡ଼ା, ବରଗଡ଼ ଓ ବଲାଙ୍ଗୀର ଭଳି ୧୯ଟି ଜିଲ୍ଲା ଥିଲା। ୨୦୧୮ ଏପ୍ରିଲ୍‌ ପରେ ଜିଲ୍ଲା ସଂଖ୍ୟା ୧୫କୁ ହ୍ରାସ ପାଇଛି। ଏବେ ଯେଉଁ ଜିଲ୍ଲାଗୁଡ଼ିକ ପାଇଁ ସ୍ବତନ୍ତ୍ର ‌କେନ୍ଦ୍ରୀୟ ସହାୟତା ମିଳୁଛି ସେଗୁଡ଼ିକ ହେଉଛି ଅନୁଗୁଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ସାତଟି ଜିଲ୍ଲା ଯଥା ବୌଦ୍ଧ, ସମ୍ବଲପୁର, ନୟାଗଡ଼, ଅନୁଗୁଳ, ଦେବଗଡ଼, ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ୨୦୨୦ରେ କୌଣସି ନକ୍ସଲ ଜନିତ ଅଘଟଣ ଘଟିନାହିଁ। ଲୋକସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିସନ ରେଡ୍ଡି ଲିଖିତ ଭାବେ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର