ନକ୍ସଲ୍‌ଙ୍କ ଅଣ୍ଡରଗ୍ରାଉଣ୍ଡ୍‌ ନେଟ୍‌ଓ୍ଵର୍କ ଠାବ

ଅଛନ୍ତି ୫ ମାଷ୍ଟରମାଇଣ୍ଡ୍‌ ବିଚ୍ଛନ୍ନତାବାଦୀ, ଆତଙ୍କବାଦୀଙ୍କ ସହ ସଂପର୍କ

ନୂଆଦିଲ୍ଲୀ: ଭାରତର ବିଭିନ୍ନ ସହରରେ ନକ୍ସଲ୍‌ଙ୍କ ଅଣ୍ଡରଗ୍ରାଉଣ୍ଡ୍‌ ନେଟ୍‌ଓ୍ଵର୍କ ରହିଛି। ସେମାନେ ନିୟମିତ ବ୍ୟବଧାନରେ ଯୋଜନାବଦ୍ଧ ହିଂସାକାଣ୍ଡ ଘଟାଉଛନ୍ତି। ଏମିତି କି କଶ୍ମୀର ବିଚ୍ଛିନ୍ନତାବାଦୀ ଏବଂ ଆତଙ୍କବାଦୀଙ୍କ ସହିତ ମଧ୍ୟ ସେମାନଙ୍କର ସଂପର୍କ ରହିଛି। ଏଥିପାଇଁ ୫ ଜଣ ମାଷ୍ଟରମାଇଣ୍ଡ୍‌ କାର୍ଯ୍ୟ କରୁଛନ୍ତି। ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ପକ୍ଷରୁ ସରକାରଙ୍କ ନିକଟରେ ଦାଖଲ କରାଯାଇଥିଲା ରିପୋର୍ଟରୁ ଏହି ସୂଚନା ମିଳିଛି। ତେବେ ଏହି ମାଷ୍ଟରମାଇଣ୍ଡ୍‌ଙ୍କ ନାମ ରିପୋର୍ଟରେ ରହିଥିବା ବେଳେ ନିରାପତ୍ତା ଦୃଷ୍ଟିକୋଣରୁ ସେମାନଙ୍କ ନାମ ଏବେ ପ୍ରକାଶ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମିଳିଥିବା ଖବର ମୁତାବକ ସରକାରଙ୍କ ଦ୍ୱାରା ନିଷିଦ୍ଧ ଘୋଷିତ ହୋଇଥିବା ସିପିଆଇ-ମାଓବାଦୀ ନକ୍ସଲମାନଙ୍କର ଏକ ଅଣ୍ଡରଗ୍ରାଉଣ୍ଡ୍‌ ନେଟ୍‌ଓ୍ଵର୍କ ଦେଶବ୍ୟାପୀ ସକ୍ରିୟ ରହିଛି। ଏହି ନେଟ୍‌ଓ୍ଵର୍କକୁ ୫ ଜଣ ମାଷ୍ଟରମାଇଣ୍ଡ୍‌ ପରିଚାଳନା କରୁଛନ୍ତି। ପାଣ୍ଠି ସଂଗ୍ରହଠାରୁ ଆରମ୍ଭକରି ହିଂସାକାଣ୍ଡ ଘଟାଇବା ପର୍ଯ୍ୟନ୍ତ ସବୁ ଏମାନଙ୍କ ନିର୍ଦ୍ଦେଶରେ କରାଯାଉଛି। ଗୁଇନ୍ଦା ଏଜେନ୍ସିଗୁଡ଼ିକ ଏହି ୫ ଜଣ ମାଷ୍ଟରମାଇଣ୍ଡ୍‌ଙ୍କ କାର୍ଯ୍ୟକଳାପ ଉପରେ ଦୀର୍ଘଦିନ ଧରି ନଜର ରଖିବା ପରେ ଏଭଳି ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟରେ ଦାଖଲ କରିଛି। ରିପୋର୍ଟ ଅନୁସାରେ ଏହି ମାଷ୍ଟରମାଇଣ୍ଡ୍‌ଙ୍କ ମଧ୍ୟରେ ନାଗପୁରର ଜଣେ ପ୍ରଫେସର ଅଛନ୍ତି। ଏହାସହ ଜଣେ ଓକିଲ, ଜଣେ ସାମ୍ବାଦିକ ଏବଂ ଜଣେ ସାମାଜିକ କର୍ମୀ ମଧ୍ୟ ଏମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ତେବେ ସେମାନଙ୍କ ନାମ ଏବେ ପ୍ରଘଟ କରାଯାଉ ନାହିଁ। କିନ୍ତୁ ସେମାନଙ୍କ ଉପରେ କଡ଼ା ନଜର ରଖାଯିବ। ଏହି ନକ୍ସଲ ମାଷ୍ଟରମାଇଣ୍ଡ୍‌ଙ୍କ ସଂପର୍କରେ ଏଜେନ୍ସିଗୁଡ଼ିକ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି। ବିଭିନ୍ନ ସମୟରେ ଦେଶରେ ଘଟିଥିବା ନକ୍ସଲ କାର୍ଯ୍ୟକଳାପରେ ଏମାନଙ୍କର ହାତ ରହିଥିବା ବେଳେ ଗତବର୍ଷ ମହାରାଷ୍ଟ୍ରର ଭୀମା କୋରେଗାଓଁରେ ଘଟିଥିବା ହିଂସାକାଣ୍ଡରେ ମଧ୍ୟ ଏମାନଙ୍କ ହାତ ରହିଛି। ଖାଲି ସେତିକି ନୁହେଁ, ନିଷିଦ୍ଧ ହୋଇଥିବା ସିପିଆଇ-ମାଓବାଦୀ ନକ୍ସଲ୍‌ ଏବଂ ନକ୍ସଲ୍‌ ପାଇଁ କାର୍ଯ୍ୟ କରୁଥିବା ସମର୍ଥକମାନଙ୍କ ମଧ୍ୟରେ ଆର୍ଥିକ କାରବାର ମଧ୍ୟ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ, ସିପିଆଇ-ମାଓବାଦୀ ନକ୍ସଲ୍‌ ଏବଂ କଶ୍ମୀର ଉପତ୍ୟକାରେ ସକ୍ରିୟ ଥିବା ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀଙ୍କ ମଧ୍ୟରେ ସଂପର୍କ ନିବିଡ଼ କରିବା ପାଇଁ କେତେକ ନକ୍ସଲ୍‌ ଶୁଭଚିନ୍ତକ ଚେଷ୍ଟା କରିଥିବା ପୂର୍ବରୁ ଗୁଇନ୍ଦା ଏଜେନ୍ସିଗୁଡ଼ିକ ସତର୍କ କରିଥିଲେ। ଜମ୍ମୁ-କଶ୍ମୀରରେ ସକ୍ରିୟ ରହି ନିୟମିତ ଭାବେ ହତ୍ୟାକାଣ୍ଡ ଘଟାଉଥିବା ଆତଙ୍କବାଦୀଙ୍କ ସହିତ ସଂପର୍କ ସ୍ଥାପନ ନିମନ୍ତେ ସହରୀ ନକ୍ସଲ୍‌ ବା ନକ୍ସଲ୍‌ଙ୍କ ସମର୍ଥକମାନେ ଦୀର୍ଘଦିନ ଧରି ଉଦ୍ୟମ କରିଆସୁଛନ୍ତି। ସେମାନଙ୍କ ସହିତ ସଂପର୍କ ସ୍ଥାପନ ହୋଇଥିବା ଜଣାଯାଇଛି।

ଗୁଇନ୍ଦା ଏଜେନ୍ସିଗୁଡ଼ିକ ଦୀର୍ଘଦିନ ଧରି ତଦନ୍ତ ଓ ଅନୁସନ୍ଧାନ କରିବା ପରେ ଏଭଳି ନିର୍ଯାସରେ ପହଞ୍ଚିଛନ୍ତି। ସେମାନେ କଶ୍ମୀରରେ ଅନୁସନ୍ଧାନ କରୁଥିବା କେତେକ ଗୁଇନ୍ଦା ଏଜେନ୍ସି ଏବଂ ମହାରାଷ୍ଟ୍ର ପୁଲିସ ଦ୍ୱାରା ଜବତ ହୋଇଥିବା ଚିଠିଗୁଡ଼ିକରୁ ମିଳିଥିବା ତଥ୍ୟକୁ ତର୍ଜମା କରିବା ପରେ ଏଭଳି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଗତବର୍ଷ ଭୀମା କୋରେଗାଓଁ ହିଂସା ଘଟଣାରେ ମହାରାଷ୍ଟ୍ର ପୁଲିସ ଏହି ଚିଠି ଜବତ କରିଥିଲା। ଏହାକୁ ଆଧାର କରି ନିକଟରେ ପୁନେ ପୁଲିସ ୫ଟି ରାଜ୍ୟରେ ଚଢ଼ଉ କରି ୫ ଜଣ ବାମପନ୍ଥୀ ସାମାଜିକ କର୍ମୀଙ୍କୁ ଗିରଫ କରିଥିଲା। ନକ୍ସଲଙ୍କ ସହିତ ସେମାନଙ୍କର ପ୍ରତ୍ୟକ୍ଷ ସଂପର୍କ ରହିଛି ବୋଲି ଦାବି କରି ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କିନ୍ତୁ ସେମାନଙ୍କୁ ଗିରଫ ନୁହେଁ, ବରଂ ଗୃହବନ୍ଦୀ ରଖିବା ପାଇଁ ସୁପ୍ରିମ୍‌କୋର୍ଟ ଗତକାଲି ଆଦେଶ ଦେଇଥିଲେ।

ବାମପନ୍ଥୀ କାର୍ଯ୍ୟକର୍ତ୍ତାଙ୍କ ଗିରଫଦାରୀକୁ ବିରୋଧ
୫ରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା
ନୂଆଦିଲ୍ଲୀ: ଭୀମା କୋରେଗାଓଁ ଘଟଣାକୁ ଆଧାର କରି ମାଓବାଦୀ ଲିଙ୍କ୍‌ ସନ୍ଦେହରେ ୫ ଜଣ ସାମାଜିକ କର୍ମୀଙ୍କୁ ଗିରଫ କରାଯାଇଥିବାରୁ ଏହାର ପ୍ରତିବାଦରେ ସେପ୍‌୍‌ଟେମ୍ବର ୫ରୁ ଦେଶବ୍ୟାପୀ ଦଳିତ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଯୁବ ଦଳିତ ନେତା ଜିଗ୍ନେଶ ମେଓ୍ଵାନି ଘୋଷଣା କରିଛନ୍ତି। ଏହି ଗିରଫଦାରୀ ପ୍ରତିବାଦରେ ଆଜି ଦିଲ୍ଲୀ ପ୍ରେସ୍‌୍‌ କ୍ଲବ୍‌ରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ମେଓ୍ଵାନି ଏଭଳି ଘୋଷଣା କରିବା ସହ ଦେଶରେ ଦଳିତ ଆନ୍ଦୋଳନକୁ ଦବାଇବା ପାଇଁ ଏହା ସରକାରଙ୍କ ଏକ ଚକ୍ରାନ୍ତ ବୋଲି କହିଛନ୍ତି। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କହିଥିଲେ ଯେ ଏବେ ଦେଶରେ ଜରୁରୀ ସ୍ଥିତିଠାରୁ ଆହୁରି ଜଟିଳ ସ୍ଥିତି ଉତ୍ପନ୍ନ ହୋଇଛି।

ସମ୍ବନ୍ଧିତ ଖବର