ରାଇଘର : ଜେଲ୍ଦଣ୍ଡ ଭୋଗୁଥିବା ନକ୍ସଲ ଦେବେ ବୋର୍ଡ ପରୀକ୍ଷା। ଜେଲ୍ ହାଜତ ହିଁ ହେବ ମାଟ୍ରିକ୍ ପରୀକ୍ଷା କେନ୍ଦ୍ର। ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଛି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ପ୍ରଶାସନ।
କାଙ୍କେର ଜେଲ୍ର ଏସ.ଏଲ୍ ନାୟକଙ୍କ କହିବା ଅନୁଯାୟୀ ଜିଲ୍ଲାପାଳ ଡ. ପ୍ରିୟଙ୍କା ଶୁକ୍ଲାଙ୍କ ନିର୍ଦ୍ଦେଶକ୍ରମେ ଜେଲ୍ଦଣ୍ଡ ଭୋଗୁଥିବା କିଛି ନକ୍ସଲ ଓ ଅନ୍ୟ ମାମଲାରେ ଜେଲ୍ରେ ଥିବା କଏଦୀଙ୍କ ବୋର୍ଡ ଶିକ୍ଷା ଦେବା ପାଇଁ ଏକ ପ୍ରସ୍ତାବ ପଠାଯାଇଥିଲା। ଏ ନେଇ ଅନୁମତି ମିଳିବା ପରେ କଏଦୀମାନେ ପ୍ରଥମ ଥର ପାଇଁ ହାଜତରେ ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି। ପ୍ରଶାସନ ଏଥି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି। ଷ୍ଟେଟ୍ ଓପନ୍ ସ୍କୁଲର ପରୀକ୍ଷା ଫର୍ମ ପୂରଣ କରିଥିବା କଏଦୀମାନଙ୍କ ସହିତ ଆଲୋଚନା କରିବା ପରେ ଜଣାପଡିଥିଲା ଯେ କେତେକ ମାଟ୍ରିକ ଫେଲ ହୋଇ ୨୦୨୦ରୁ ଜେଲରେ ଥିବା ବେଳେ ଅନ୍ୟ କେତେକ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବର୍ଷେ ହେବ ଜେଲ ଦଣ୍ଡ ଭୋଗୁଛନ୍ତି। ଏମାନେ ଦ୍ବାଦଶ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଚଲାଇବା ସହିତ ଫର୍ମ ପୂରଣ କରି ସାରିଛନ୍ତି l
୨୫ରୁ ୩୦ ଜଣ କଏଦୀ ଏହି ପରୀକ୍ଷା ଦେବାକୁ ରାଜି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ଫର୍ମ ପୂରଣ କରି ସାରିଛନ୍ତି। ସେଥି ମଧ୍ୟରୁ ୯ ଜଣ ଦଶମ ବୋର୍ଡ ପରୀକ୍ଷା ଏବଂ ୩ଜଣ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି। ପରୀକ୍ଷା ପାଇଁ କଏଦୀମାନେ ପାଠପଢ଼ା ଆରମ୍ଭ କରିସାରିଛନ୍ତି। ଏମାନଙ୍କ ନିମନ୍ତେ କାଙ୍କେର ଜେଲ୍କୁ ପରୀକ୍ଷା କେନ୍ଦ୍ର ଭାବେ ପ୍ରସ୍ତୁତ କରାଯିବ। ସମସ୍ତଙ୍କୁ ନୂତନ ଜୀବନ ଆରମ୍ଭ କରିବାର ସୁଯୋଗ ମିଳିବା ଓ ଆଗକୁ ବଢିବାର ଆବଶ୍ୟକତା ରହିଛି ବୋଲି ବୋଲି ଜିଲ୍ଲାପାଳ ଡ. ପ୍ରିୟଙ୍କା ଶୁକ୍ଲା ପ୍ରକାଶ କରିଛନ୍ତି।