ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ଟପ୍ ମାଓନେତା । ଗତ ଏକ ସପ୍ତାହ ମଧ୍ୟରେ ସୁରକ୍ଷା କର୍ମୀମାନେ ଟପ୍ ମାଓନେତା ରେଣୁକା, ଜଗଦୀଶ ଓ ସୁଧାକର ପରି ୩ ମୁଣ୍ଡ ଗଡ଼ାଇବାରେ ସଫଳ ହୋଇଛନ୍ତି ।  ପ୍ରାୟ ୧୫ ମାସରେ ଚଲପତି ସମେତ ୮ ଷ୍ଟେଟ କ୍ୟାଡରଙ୍କୁ ଏନକାଉଣ୍ଟର କରାଯାଇଛି । ବହୁ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

Advertisment

ଦେଶରେ ମାଓବାଦ ଏବେ ଶେଷ ନିଃଶ୍ୱାସ ଛାଡୁଛି । ପଡୋଶୀ ଛତିଶଗଡ଼ରେ ବଡ ମାଓ ଅପରେସନ ଚାଲିଛି । ଟପ୍ କ୍ୟାଡରଙ୍କୁ ସୁରକ୍ଷାକର୍ମୀ ଖୋଜି ଖୋଜି ମାରୁଛନ୍ତି । ମାର୍ଚ୍ଚ ୩୧ ରେ ମାଓ ପତ୍ରିକା ପ୍ରଭାତର ସମ୍ପାଦିକା ରେଣୁକା ଦାନ୍ତେୱାଡ଼ା ଏନକାଉଣ୍ଟରରେ ନିହତ ହୋଇଛି । ତା’ନାଁରେ ଛତିଶଗଡ଼ରେ ୨୫ ଲକ୍ଷ ଓ ତେଲେଙ୍ଗାନାରେ ଥିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର । ମାର୍ଚ୍ଚ ୨୯ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିବା ମାଓନେତା ଜଗଦୀଶ ସୁକମା କେରଲାପାଲ ଉପମପାଲି ଏନକାଉଣ୍ଟରରେ ନିପାତ ହୋଇଛି । ମାର୍ଚ୍ଚ ୨୫, ୨୫ ଲକ୍ଷ ଟଙ୍କା ପୁରସ୍କାର ଥିବା ମାଓନେତା ସୁଧୀର ଅବୁଝମାଡ଼ ଜଙ୍ଗଲରେ ନିହତ ହୋଇଥିଲା । ସେହିପରି ମାଓନେତା ଚଲପତି ସମେତ ଅନେକ କ୍ୟାଡର ମାଓବାଦୀଙ୍କୁ ସୁରକ୍ଷାକର୍ମୀ ନିପାତ କରିଛନ୍ତି । ଏଭଳି  ଅପରେସନ ପରେ ସୁରକ୍ଷାକର୍ମୀଙ୍କ ମନୋବଳ ବଢ଼ିଛି ।

ମାଓବାଦୀଙ୍କୁ ବାରମ୍ବାର ଆତ୍ମସମର୍ପଣ କରିବାକୁ ସୁଯୋଗ ଦିଆଯାଉଛି । ଛତିଶଗଡ଼ ସରକାର ଲୋନ ୱାରାଟୁ, ଘର ୱାପସି ପରି ବହୁ ଥଇଥାନ କାର୍ଯ୍ଯକ୍ରମ ହାତକୁ ନେଇଛନ୍ତି । ମାଓବାଦୀଙ୍କ ଉପରେ ଚାପ ବଢୁ ଥିବାରୁ ଗତ ମାସରେ ୧୦୦୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପ୍ରାୟ ୯୦୦ ମାଓବାଦୀଙ୍କୁ ଗିରଫ କରାଯାଇଛି । ୩୫୦ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି । ଏନକାଉଣ୍ଟର ସ୍ଥଳରୁ ୩୭୫ଟି ବନ୍ଧୁକ ଜବତ ହୋଇଛି । ବିଜାପୁରରେ ମାଓବାଦୀ ଅଧିକ ଥିବା ବେଳେ ସେମାନଙ୍କୁ ବିଜାପୁର ଏସପି ଚରମବାଣୀ ଶୁଣାଇଛନ୍ତି ।